ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଜୟପାଟଣା ମୁଖୀଗୁଡା ମୁଖ୍ୟ ରାସ୍ତା କରଞ୍ଜିଗୁଡା ଗାଁରେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ। ସୂଚନା ଅନୁଯାୟୀ କରଞ୍ଜିଗୁଡା ଗାଁର ସଞ୍ଜୟ ନାଏକ (୩୫) ଗତ ଶନିବାର ସନ୍ଧ୍ୟା ସମୟରେ ମୁଖିଗୁଡା ଠାରୁ ଔଷଧ କିଣି ଫେରୁଥିବା ସମୟରେ ମୁଖୀଗୁଡା ଫାଣ୍ଡି ନିକଟରେ ଦୁଇ ବାଇକ୍ ମୁହାମୁହିଁ ହେବା ଫଳରେ ସଞ୍ଜୟ ନାଏକ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଜୟପାଟଣା ଗୋଷ୍ଠୀ କେନ୍ଦ୍ରଠାରେ ଭର୍ତ୍ତି କରାଯାଇଥିଲା, ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ମଧ୍ୟ ବୁର୍ଲା କୁ ସ୍ଥାନାନ୍ତର ହୋଇ ପରେ ରାୟପୁର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସାଧିନ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ଗାଁକୁ ଶବ ଫେରିଥିବାବେଳେ ପରିବାର ଓ ଗାଁ ଲୋକେ କ୍ଷତିପୂରଣ ଦାବିରେ ଶବ ରଖି କରଞ୍ଜିଗୁଡ଼ା ପାଖରେ ରାସ୍ତା ଅବରୋଧ କରିଛନ୍ତି। ଯାତାୟାତ ଠପ୍ ହୋଇଯାଇଛି। ଏ ନେଇ ପରିବାର ପକ୍ଷରୁ ଜୟପାଟଣା ଥାନାରେରେ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।