‘ବୁଢ଼ରଜା’ ଦଶରା ପାଇଁ ପ୍ରଶାସନ ଓ କମିଟିର ଚୁଡାନ୍ତ ବୈଠକ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଆମପାଣି ଘାଟି ମୁଣ୍ଡରେ ପୂଜା ପାଉଥିବା କଳାହାଣ୍ଡିର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜା ଦେବଙ୍କ ବାର୍ଷିକ ଦଶରା ପାଇଁ ବୁଧବାର ପ୍ରଶାସନ ଓ କମିଟିର ଚୁଡାନ୍ତ ବୈଠକ ଅନୁଷ୍ଠିତ ହୋଇଛି। ବୁଢ଼ାରଜା ସାଂସ୍କୃତିକ ଅନୁଷ୍ଠାନର ସଭାପତି ରୁତୁରାଜ ମାଝୀଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୧୧ ତାରିଖ ଶନିବାର ଦିନ ହେବାକୁ ଥିବା ଏହି ଦଶରା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା ରହିଛି। ତେଣୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସମାଗମକୁ ଦୃଷ୍ଟିରେ ଶାନ୍ତି ଶୃଙ୍ଖଳା ନିମନ୍ତେ ଉପଖଣ୍ଡ ପୋଲିସ ଅଧିକାରୀ ଡୋଲାମଣି ଭୋଇଙ୍କ ସହିତ କମିଟିର ଆଲୋଚନା ହୋଇଛି। ଯେ’ ହେତୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଇଥାଏ। ତୁଣେ ତା’ ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି। ଅନ୍ୟପଟେ ମନ୍ଦିର ଦର୍ଶନ ନିମନ୍ତେ ମଧ୍ୟ ବିଶେଷ ଦୃଷ୍ଟି ଦିଆଯିବା ନେଇ ଆଲୋଚନା ହୋଇଥିଲା। ସେହିଭଳି କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀଙ୍କ ସହିତ ବିଭିନ୍ନ ଦିଗରେ ଆଲୋଚନା କରାଯାଇଥିବା ବେଳେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ମଧ୍ୟ କମିଟି ପକ୍ଷରୁ ଆଲୋଚନା କରିଥିବା ଜଣାପଡିଛି। ବୈଠକରେ ଆମପାଣି ଥାନା ଅଧିକାରୀ ପ୍ରଶାନ୍ତ କୋଲାହର, କମିଟି ସଭାପତି ରୁତୁରାଜ ମାଝୀ, ସମ୍ପାଦକ ସନ୍ତୋଷ କୁମାର ମାଝୀ, ଉପ ସଭାପତି ଗଙ୍ଗାଧର ନାଏକ, କୋଷାଧ୍ୟକ୍ଷ ବିଘ୍ନେଶ୍ୱର ନାଏକ, ଜିତେନ୍ଦ୍ର ପଣ୍ଡା, ସୁରେଶ ଚନ୍ଦ୍ର ସାହୁ, ରାଜୁ ପଟେଲ, ବିଜୟ କୁମାର ପଣ୍ଡା, ନକୁଳ ବାଣୁଆ, ମନୋରଞ୍ଜନ ବାଣୁଆ, ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।