କୈକେୟୀଙ୍କୁ ସାହାରା ଅଧା ଭଙ୍ଗା ମାଟି ଘର

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନାହିଁ । ଭଙ୍ଗା କୁଡ଼ିଆଟିଏ ଅଛି ନା ଘରକୁ ସୁରକ୍ଷା ଦେବାକୁ କାନ୍ଥ ଅଛି ନା ଛାତ ଝାଟି ଉପରେ ମାଟି ଲଗାଇ ଖଣ୍ଡେ ଲୁଗା ଟାଣି ଛିଣ୍ଡା ପଲିଥିନଟିଏ ପକାଇ ଜୀବନ କାଟୁଛନ୍ତି କେସିଙ୍ଗା ବ୍ଲକର କାଣ୍ଡେଲ ଗାଁର ଅସହାୟ କୈକେୟୀ ମାଝୀ। ଖରା, ବର୍ଷା, ଶୀତ, କାକର ସବୁ ଏଇ ଘରେ । ବର୍ଷା ହେଲେ ଘର ପାଣିରେ ଭର୍ତ୍ତି ହୋଇଯାଏ । ରୋଷେଇ କରିବା, ରହିବା ସବୁ ମୁସ୍କିଲ ହୋଇଯାଏ । ହେଲେ ଆଜି ଯାଏଁ ପକ୍କା ଘର ଖଣ୍ଡିଏ ମିଳିପାରିନି । କେସିଙ୍ଗା ବ୍ଲକ କାଣ୍ଡେଲ ଗାଁ ର କୈକେୟୀ ମାଝୀ ଙ୍କ ନିଜ ବିବାହିତ ଝିଅ କୁ ଛାଡିଦେଲେ ଆଉ ନିଜର ବୋଲି କେହି ନାହିଁ। ସ୍ଵାମୀ ନ ଥିବା ଅସହାୟ କୈକେୟୀ ଙ୍କ ଦୁଃଖ ଶୁଣିଲେ… ଆପଣଙ୍କ ବି ଆଖିରେ ଲୁହ ଆସିଯିବ। ଗତ ଲଗାଣ ବର୍ଷାରେ ନିଜ ପାଖରେ ତିନି ବର୍ଷର ନାତୁଣୀକୁ ଧରି ଶୋଇ ପଡିଥିବା ବେଳେ ହଠାତ୍ ଘର କାନ୍ଥ ଭୁଶୁଡି ପଡିଥିଲା। ଦୈବିକୁ କୈକେୟୀ ଏବଂ ତାଙ୍କ ନାତୁଣୀ ମରଣ ମୁହଁରୁ ଅଲ୍ପକେ ବର୍ତ୍ତିଗଲେ ସିନା.. ତାଙ୍କ ସ୍ବପ୍ନ ର ମାଟିଘର ଧୁଳି ସାତ ହୋଇଗଲା। ଭୟଭୀତ କୈକେୟୀ ରାତି ୧୧ ବେଳେ ଜ୍ୱାଇଁଙ୍କୁ ଫୋନ୍ କରି ଡାକିଥିଲେ। ଆଉ ସକାଳେ ଦେଖିବା ବେଳକୁ ନିଜ ଆଖି ଆଗରେ ସ୍ଵପ୍ନ ର ଘର ଭାଙ୍ଗି ରୁଜି ଚୁରମାର ହୋଇଛି । କେବଳ ସେତିକି ନୁହେଁ ନିଜ ପାଇଁ ସାଇତି ରଖିଥିବା ବର୍ଷକର ଚାଉଳ,କପଡା ଆଉ ଅନେକ ମାଟି ଅତଡା ରେ ପୋତି ହୋଇଗଲା । ଖବର ପାଇ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, କାଣ୍ଡେଲ ପିଇଓ ଚିନ୍ମୟୀ ନାୟକ, ସରପଞ୍ଚ ପାର୍ବତୀ ଶର୍ମା, ବିଡ଼ିଓ ଜନ୍ମେଜୟ ସ୍ଵାଇଁ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ତହସିଲଦାର କୈକେୟୀ ଙ୍କୁ ଚାଉଳ,ଡାଲି ଆଦି କିଛି ଦିନର ଖାଇବା ଯୋଗାଇ ଦେଇଥିଲେ ଏବଂ ଲଇତରା ରାଜସ୍ୱ ନିରୀକ୍ଷକଙ୍କୁ କ୍ଷୟକ୍ଷତି ଆକଳନ ସହିତ ଜରିପାଳ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏବଂ ସି ଆର ସି ଙ୍କୁ ମଧ୍ୟ କୈକେୟୀ ଙ୍କ ଦୁରାବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ତେବେ କୈକେୟୀ ଙ୍କୁ ଘର ଖଣ୍ଡେ ଯୋଗାଇଦେବାକୁ ପଞ୍ଚାୟତ ପିଇଓ ଚିନ୍ମୟୀ ନାୟକ ପ୍ରତିଶ୍ରୁତି ଦେଇଥିବା ବେଳେ , ଆର୍ ଆଇ ଙ୍କ ରିପୋର୍ଟ କୁ ଅପେକ୍ଷା କରିଥିବା କହିଛନ୍ତି । ସେ କହିଛନ୍ତି କୈକେୟୀ ଙ୍କ ସମସ୍ତ ଡକ୍ୟୁମେଣ୍ଟ ସଂଗ୍ରହ କରାଯାଇଛି, କିନ୍ତୁ କ୍ଷୟକ୍ଷତି ରିପୋର୍ଟ ଆମ ପାଖରେ ନାହିଁ,ଯଦି ଏହା ମିଳିଯିବ ତେବେ ଆମେ ଶୀଘ୍ର ଶିଘ୍ର ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଁ ଚେଷ୍ଟା କରିବୁ । କିନ୍ତୁ ଏପଟେ କ୍ଷୟକ୍ଷତି ରିପୋର୍ଟ ନ ମିଳିବାରୁ କୈକେୟୀ ଅଧା ଗଢା ମାଟି କାନ୍ଥ ନିକଟରେ ଆର୍ ଆଇ ଦେଇଥିବା ଜରିପାଳ ଟାଙ୍ଗି ସମୟ କାଟୁଛନ୍ତି ।ଏବେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଆଗକୁ ବଡ଼ ବାତ୍ୟା ଅଛି, ଯଦିଓ ଏହା ସତ ପ୍ରମାଣିତ ହୁଏ ତେବେ କୈକେୟୀ ଙ୍କ ଅବସ୍ଥା ଯେ କଣ ହେବ ଭଗବାନ ଙ୍କୁ ଜଣା । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେଇ କୈକେୟୀ ଙ୍କୁ ଘର ଖଣ୍ଡେ ଯୋଗାଇଦେବାକୁ ସେ ଅନୁରୋଧ କରିଛନ୍ତିି ।