ଶିକ୍ଷକ ସଂଘ ପକ୍ଷରୁ ୟୁଏଏସ୍ ପୋର୍ଟାଲ କାର୍ଯ୍ୟ ବିରୋଧରେ ଦାବିପତ୍ର

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଉତ୍କଳ ପ୍ରାଇମେରୀ ଟିଚର୍ସ ଫେଡେରେସନ କୋକସରା ବ୍ଳକ ଶିକ୍ଷକ ସଂଘ ପକ୍ଷରୁ ୟୁଏଏସ୍ ପୋର୍ଟାଲ କାର୍ଯ୍ୟ ବିରୋଧରେ ଗୋଷ୍ଠୀ ଅତିରିକ୍ତ ଶିକ୍ଷା ଅଧିକାରୀ ତୋଫାନ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ ୟୁଏଏସ୍ ଲାଗୁ ପାଇଁ ପ୍ରଥମେ ଆବଶ୍ୟକ ଭିତ୍ତିଭୂମି ଯେପରି ଶ୍ରେଣୀ ହିସାବରେ ଆବଶ୍ୟକ କୋଠରୀ, କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି, ଶିକ୍ଷକ ଅଭାବ ଦୂର, ସରକାରଙ୍କ ତରଫରୁ ୟୁଏଏସ୍ କାମ କରିବାକୁ ଯନ୍ତ୍ରାଂଶ (ମୋବାଇଲ, କମ୍ପ୍ୟୁଟର, ଟ୍ୟବ୍ଲେଟ, ଅର୍ଥ ରାଶି ଆଦି ଯୋଗାଇ ଦେବା, ଏହା ଦ୍ବାରା ନିଜର ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ସମ୍ଭାବନା ଅଧିକ ଓ ଏହି କାର୍ଯ୍ୟ ପାଇଁ ଅଧିକ ସମୟର ଆବଶ୍ୟକ ଥିବାରୁ ଶିକ୍ଷାଦାନ ପ୍ରକ୍ରିୟା ବ୍ୟାହତ ହେବାର ସମ୍ଭାବନା ଅଧିକ ଅଛି। ଏହି ସବୁ ଦିଗକୁ ବିଚାର କରି ସମାଧାନ କଲାପରେ ଲାଗୁ କରିବାକୁ ପୂର୍ବରୁ ଅନୁରୋଧ କରାଯାଇଥିଲା। କିନ୍ତୁ ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ନ କରି ଆମ ଉପରେ ୟୁଏଏସ୍ କାର୍ଯ୍ୟକୁ ବର୍ତ୍ତମାନ ବଳପୂର୍ବକ ଲଦି ଦିଆଯାଇଛି, ଶିକ୍ଷକମାନେ ଡିଜିଟାଲ ପରିବର୍ତ୍ତନ ବିରୋଧୀ ନୁହନ୍ତି, କିନ୍ତୁ ସେମାନେ ଏହାର ଯୁକ୍ତିସଂଗତ ଓ ବ୍ୟବହାରିକ ପ୍ରୟୋଗ ଚାହୁଁଛନ୍ତି, ଯାହା ତାଙ୍କ କାର୍ଯ୍ୟ ସୁବିଧା ଓ ପ୍ରଶାସନିକ କାର୍ଯ୍ୟକୁ ସହଜ କରିବ। ସଂଘ ପକ୍ଷରୁ ବିଭାଗ ତାଙ୍କ ଦାବିକୁ ଗମ୍ଭୀରତାର ସହ ସ୍ୱୀକାର କରି ଶୀଘ୍ର ଯଥୋଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେମାନେ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ କୋକସରା ବ୍ଳକ ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।