କେନ୍ଦ୍ରୀୟ ମାଳ ଗୋଦାମ ଆଗରେ ଶ୍ରମିକଙ୍କ ଧାରଣା

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କୋକସରା ସ୍ଥିତ କେନ୍ଦ୍ରୀୟ ମାଳ ଗୋଦମରେ ନିୟୋଜିତ ଥିବା ଶ୍ରମିକମାନେ ଶୁକ୍ରବାର ଗୋଦାମର ମୁଖ୍ୟ ଫାଟକ ଆଗରେ ଆନ୍ଦୋଳନ କରିବା ସହ ଧାରଣାରେ ବସଛନ୍ତି। ତାଙ୍କର ଦାବି ମୁତାବକ ବର୍ତ୍ତମାନ ବସ୍ତା ପିଛା ଲୋଡ୍ ଏବଂ ଅନଲୋଡ ନିମନ୍ତେ ୩ ଟଙ୍କା ୧୦ ପଇସା ପ୍ରଦାନ କରାଯାଉଛି। ଏହାକୁ ୫ଟଙ୍କା ବୃଦ୍ଧି କରିବା ପାଇଁ ସେମାନେ ଦାବି କରିଛନ୍ତି। ଏନେଇ ମାଳ ଗୋଦାମରେ ନିୟୋଜିତ ଥିବା ଶ୍ରମିକ ଅମର ସିଂ ଦଳପତି, ଧଳଚନ୍ଦ୍ର ଗୋପାଳ, ପଞ୍ଚାନନ ଗୋପାଳ, ଯୁଗଳ ଦଳପତି, ଗୁଣନିଧି ବୋଡକିଆ, ଦିନ ନାଏକ, ସଦାରାମ ପୁଝାରୀ, ହିରିଲାଲ ମାଝୀ, ଇନ୍ଦ୍ରଜିତ ଗୋପାଳ ସମେତ ଶତାଧିକ ଶ୍ରମିକ ସନ୍ଧ୍ୟାରୁ ଧାରଣା ଦେଇଛନ୍ତି। ଏଥି ସହିତ ମାଲ୍ ଗୋଦାମର କ୍ରୟ ଅଧିକାରୀ (ପି.ଆଇ) ସଞ୍ଜୟ ଟେଟେଙ୍କ ବିରୁଦ୍ଧରେ ନାରାବାଜି ମଧ୍ୟ କରିଛନ୍ତି। ଧାରଣାରେ ଶ୍ରମିକ ସଂଘର ଜିଲ୍ଲା ସଭାପତି ଚିନ୍ମୟ ବେହେରା, ଶ୍ରମିକ ସର୍ଦ୍ଦାର ହାତିରାମ ପାଣ୍ଡେ, ଜଗଦୀଶ ଗହିର, ପୂର୍ଣ୍ଣଚନ୍ଦ୍ର ଧଙ୍ଗଡାମାଝୀ, ଚନ୍ଦ୍ରଧ୍ବଜ ହାତୀ, ଗଦାଧର ନାଏକ, ଚିତ୍ରସେନ ପାତ୍ର, ଅର୍ଚୁ ନାଏକ ପ୍ରମୁଖ ସାମିଲ ହୋଇ ଆନ୍ଦୋଳନରତ ଶ୍ରମିକ ମାନଙ୍କୁ ସମର୍ଥନ ଜଣାଇ ଧାରଣାରେ ସାମିଲ ହୋଇଛନ୍ତି। ଘଟଣାର ଖବର ପାଇ କୋକସରା ଥାନା ଅଧିକାରୀ ଜୟପ୍ରକାଶ ନାରାୟଣ ହୋତା ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଶ୍ରମିକ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହିଥିଲେ। ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ପରେ ସ୍ଥାନୀୟ ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ ମାଜିଷ୍ଟ୍ରେଟ ଦାଇତ୍ୱରେ ଆସି ଧାରଣାରତ ଶ୍ରମିକ ନେତାଙ୍କ ସହ ଆଲୋଚନା କରିଥିଲେ। ଏବଂ ଆସନ୍ତା କାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ମିଲ ମାଲିକ ଓ ଶ୍ରମିକ ସଙ୍ଘ ନେଇ ବୈଠକରେ ଆଲୋଚନା କରି ଶ୍ରମିକଙ୍କ ଦାବି ନେଇ ନିଷ୍ପତ୍ତି ନିଆଯିବା ନେଇ ସୂଚନା ଦେବାପରେ ଶ୍ରମିକ ମାନେ ଧାରଣା ପ୍ରତ୍ୟାହୃତ କରିଛନ୍ତି।