ସିନାପାଲି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଶୁଭ୍ରାଂଶୁ ନାଏକ) : ଗ୍ରାମାଞ୍ଚଳ ଜନସାଧାରଣ ମାନଙ୍କ ଯାତାୟତରେ ସୁଧାର ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ପରିବର୍ତ୍ତନ ହେବା ସହ ଅନେକ କ୍ଷେତ୍ର ରେ ଅଞ୍ଚଳ ବିକଶିତ ହୋଇଥାଏ। ହେଲେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଉପାନ୍ତ ଅଞ୍ଚଳ ଜନସାଧାରଣଙ୍କୁ ଯୋଗାଯୋଗ କରିବାରେ ଆଜିବି ସାତ ସପନ ହୋଇ ରହିଛି। ଯାହା ଫଳରେ ବର୍ଷା ଋତୁ ସମୟରେ ବାହ୍ୟ ଜଗତରୁ ବିଛିନ୍ନ ରହି ଦୁଃସ୍ଥ ଜୀବନ ବିତାଇବା କୁ ପଡ଼ିଥାଏ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ବଣ ପାହାଡ ଘେରା ଘାଟମାଳ ଗ୍ରାମ ପଞ୍ଚାୟତର ଚିତାରମା, ଝୋଲାପଡା ଓ ନଙ୍ଗଳଘାଟ ଗ୍ରାମର ଜନସାଧାରଣଙ୍କୁ ଏବେ ଘାରିଛି ଜଳବନ୍ଦୀ ଚିନ୍ତା। କିଛି ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ଉଦନ୍ତୀ ନଦୀ ରେ ବନ୍ୟା ଜଳ ପ୍ରବାହିତ ହେଉଛି। ଆହୁରି ଆଗକୁ ବଡ଼ ବର୍ଷା ଆଶଙ୍କା ଥିବାରୁ ସମ୍ପୂର୍ଣ୍ଣ ଭାବରେ ଗାଁ ଲୋକେ ଜଳବନ୍ଦୀ ଜୀବନ ଅତିବାହିତ କରିବେ। ଖରସ୍ରୋତ ଉଦନ୍ତୀ ନଦୀ କୂଳରେ ଆଜକୁ ୧୦୦ ବର୍ଷ ପୂର୍ବେ ଏହି ଗ୍ରାମ ଗଢିଉଠି ଥିଲା। ଚିତାରମା ଗ୍ରାମ ର ପଡା ଗ୍ରାମ ଝୋଲା ପଡା ଓ ନିକଟ ଗ୍ରାମ ହେଉଛି ନଙ୍ଗଳଘାଟ। ଏହି ଗ୍ରାମ ଗୁଡ଼ିକ ପାଇଁ ବର୍ଷା ଋତୁ ସମୟରେ ବିଶେଷ ଅସୁବିଧା ହେଇଥାଏ। ଉଦନ୍ତୀ ନଦୀ ରେ ବନ୍ୟା ଜଳ ପ୍ରବାହିତ ହେଲେ ସମ୍ପୂର୍ଣ୍ଣ ଭାବରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଥାଏ। ବର୍ଷ ର ୪ ମାସ ଏମାନେ ଜଳବନ୍ଦୀ ଜୀବନ ଅତିବାହିତ କରିଥାନ୍ତି। ଅତି ଜରୁରୀ ସମୟରେ ପଡ଼ୋଶୀ ଛତିଶଗଡ ଉପରେ ନିର୍ଭର କରନ୍ତି। ସେମାନଙ୍କୁ ଛତିଶଗଡ଼ ଯିବାକୁ ହେଲେ ମଧ୍ୟ ମରଣଯନ୍ତା ରାସ୍ତା ସାଙ୍ଗକୁ ବଣ ପାହାଡ ପଥୁରିଆ ରାସ୍ତା ଦେଇ ବହୁ କଷ୍ଟ ରେ ଯିବାକୁ ପଡ଼ିଥାଏ ବୋଲି ଅଞ୍ଚଳର ଅଧିବାସୀ ପ୍ରକାଶ କରିଛନ୍ତି। ଏହି ଅଞ୍ଚଳ ଟି ସିନାପାଲି ବ୍ଲକ ସଦର ମହକୁମା ଠାରୁ ଦୀର୍ଘ ୩୦ କିଲୋ ମିଟର ଦୂରରେ ଅବସ୍ଥିତ। ଏହି ଗ୍ରାମରେ ଆଦିବାସୀ ଓ ପହରିଆ ଜନଜାତି ର ଲୋକେ କେଉଁ ଆବାହନ କାଳରୁ ବସତି ସ୍ଥାପନ କରିଛନ୍ତି। ଆଜିବି ଦାରିଦ୍ର୍ୟ ସୀମାରେଖା ତଳେ ରହି ଜୀବିକା ନିର୍ବାହ କରୁଛନ୍ତି। ଅନେକ ଗରୀବ ଶ୍ରେଣୀର ହୋଇଥିବା ବେଳେ ମୁଖ୍ୟତଃ ସରକାରଙ୍କ ଦ୍ୱାରା ଦିଆଯାଉଥିବା ପିଡିଏସ ଚାଉଳ ଓ ଲଘୁବନଜାତ ଦ୍ରବ୍ଯ ଉପରେ ନିର୍ଭର କରନ୍ତି। କିନ୍ତୁ ଜଳବନ୍ଦୀ ଯୋଗୁଁ ଏହି ଚାଉଳ ଆଣିବା ପାଇଁ ସମ୍ଭବ ହୋଇ ପାରେ ନାହିଁ। ଯାହା ଫଳରେ ଲୋକେ ବର୍ଷା ଋତୁ ସମୟ ରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଏହି ୩ ଗାଁ ଲୋକଙ୍କ ପାଇଁ ପ୍ରଶାସନ ତତ୍ପରତା ଦେଖାଇ ଆଗତୁରା ଚିତାରମା ଗ୍ରାମରେ ପିଡିଏସ ଚାଉଳ ଗଚ୍ଛିତ ରଖି ଦେବାର ବ୍ୟବସ୍ଥା ସାଙ୍ଗକୁ ବିଭିନ୍ନ ସାମଗ୍ରୀ ମହଜୁଦ ରଖିବା ପାଇଁ ଗ୍ରାମର ଲୋକେ ଦାବୀ କରିଛନ୍ତି। ପ୍ରତିବର୍ଷ ବର୍ଷା ଋତୁ ଆସିଲେ ସେମାନଙ୍କ ଜୀବନ ଜୀବିକା ବିପନ୍ନ ହେଉଥିବା ବେଳେ ପରିବାର ପ୍ରତିପୋଷଣ ରେ ବିଶେଷ ଅସୁବିଧା ହେଇଥାଏ। ଗ୍ରାମର ଜନସାଧାରଣ ବ୍ଲକ କାର୍ଯ୍ୟାଳୟ ତଥା ପଞ୍ଚାୟତ, ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଅନେକ ଜରୁରୀ କାମ ହୋଇ ପାରେ ନାହିଁ। ବିଗତ ଦିନ ମାନଙ୍କରେ ଭରା ନଦୀ ରେ ପ୍ରସୂତି ତଥା ଗର୍ଭବତୀ ମହିଳା ଓ ରୋଗୀ ମାନଙ୍କୁ ଖଟିଆ ରେ ବହୁ ଅସୁବିଧାରେ ପାରି କରିବା ନଜିର ରହିଛି। ନଦୀ ରେ ଅଳ୍ପ ପାଣି ଥିଲେ ଖଟିଆ ରେ ନେଉଥିବା ବେଳେ ବନ୍ୟା ସ୍ଥିତି ରେ ନେବା ରେ ଅସୁବିଧା ଯୋଗୁଁ ରୋଗୀ ମାନେ ଅକାଳ ରେ ମୃତ୍ୟୁ ବରଣ କରିଥିବା ଗ୍ରାମର ଲୋକେ ପ୍ରକାଶ କରିଛନ୍ତି। ଚିତାରମା ଗ୍ରାମ ଠାରୁ ସିନ୍ଦୂରଶିଲ ଗ୍ରାମ କୁ ସଂଯୋଗ କରି ସେତୁ ନିର୍ମାଣ କରିବା ପାଇଁ ଗ୍ରାମର ଜନସାଧାରଣ ପ୍ରାଶାସନିକ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ବହୁ ନେତା ମନ୍ତ୍ରୀଙ୍କୁ ଅନୁରୋଧ କରିବା ପରେ ପୂର୍ବ ବିଜେଡି ସରକାର ଗୁରୁତର ସହିତ ବିଚାର କରି ସେତୁ ନିର୍ମାଣ ପାଇଁ ୨୦୨୩ ମସିହାରେ ଜାଗା ଚିହ୍ନଟ କରି ମାଟି ପରୀକ୍ଷଣ କରଯାଇଥିଲା। ଚଳିତ ବର୍ଷ ସେତୁ କାର୍ଯ୍ୟ ଆରମ୍ଭ ପାଇଁ ପ୍ରକ୍ରିୟା ଆରମ୍ଭ କରଯାଇଛି । ଏହି ଗ୍ରାମର ଜନସାଧାରଣ ନିର୍ବାଚନ ପୂର୍ବରୁ ସମସ୍ୟା କୁ ନେଇ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ । ସିନାପାଲି ବିଡିଓ ଅବିନାଶ ଲାକ୍ରା ପହଞ୍ଚି ସମାଧାନ କରି ପ୍ରତିଶ୍ରୁତି ଦେବା ପରେ ଭୋଟ ବର୍ଜନ ରୁ ନିବୃତ ରହିଥିଲେ। ଗ୍ରାମରେ ଅନେକ ସମସ୍ୟା ରହିଥିବା ବେଳେ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନ କରିବା ପାଇଁ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଉଦନ୍ତୀ ଭରା ନଦୀରେ ପାରି ହୋଇ ନିଜ ସହକର୍ମୀଙ୍କ ସହ ଗତ ବର୍ଷ ଯାଇଥିଲେ। ସେଠାରେ ଗ୍ରାମର ଜନସାଧାରଣଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଗତ ମାସରେ ଖଡିଆଳ ର ପୁର୍ବତନ ବିଧାୟକ ହିତେଶ ବଗର୍ତ୍ତି ଙ୍କ ନେତୃତ୍ୱ ରେ ବିଜେପି ର ଏକ ପ୍ରତନିଧି ଦଳ ଗାଁ କୁ ଯାଇ ସମସ୍ୟା ର ସ୍ଥିତି ପରଖି ଥିବା ବେଳେ ପ୍ରଶାସନ ଓ ସରକାର ଙ୍କ ନିକଟରେ ଉପସ୍ଥାପନ କରି ସମାଧାନ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଘାଟମାଳ ସରପଞ୍ଚ ଟେକରାମ ମାଝି ଙ୍କୁ ପଚାରିବାରୁ ଏହି ଜଳବନ୍ଦୀ ସମସ୍ୟା ରହିଛି।ପଞ୍ଚାୟତ ତରଫରୁ ଯାହା ସମ୍ଭବ କରାଯାଉଛି। ସେତୁ ନିର୍ମାଣ ବହୁତ ଶୀଘ୍ର ହେବ। ଏହାର ଟେଣ୍ଡର ଆହ୍ବାନ କାର୍ଯ୍ୟ ମଧ୍ୟ ସରି ଯାଇଛି ବୋଲି ପ୍ରକାଶ କରିଥିଲେ। ଏହା ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପଦକ୍ଷେପ ଗ୍ରହଣ କରଯାଇଛି। ସମସ୍ୟା ର ସମାଧାନ ହୋଇଯିବ ବୋଲି ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝି ପ୍ରକାଶ କରିଥିଲେ।