କେସିଙ୍ଗା/କ୍ରାନ୍ତିକ୍ଷେତ୍ରନ୍ୟୁଜ(ମଧୁସୂଦନଠାକୁର): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ କେସିଙ୍ଗା ବନ୍ୟାଞ୍ଚଳ ର ତୁଲାଙ୍ଗପଦର ବନ ସୁରକ୍ଷା ସମିତି( ଭି ଏସ ଏସ)କୁ ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ସମିତିର ଦୃଢ ପ୍ରତିବଦ୍ଧତା ଓ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୫ ମସିହାର ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାରରେ ସମିତି ସମ୍ମାନିତ ହୋଇଛି।ସମିତି ନିୟମିତ ଭାବରେ ସଭା ଅନୁଷ୍ଠାନ,ସମୁଦାୟ ଭିତ୍ତିକ ସୁରକ୍ଷା କାର୍ଯ୍ୟ ,ପରିବେଶ ପ୍ରତି ସଚେତନତା ମାଧ୍ୟମରେ ଦୃଷ୍ଟାନ୍ତ ସୃଷ୍ଟି କରି ବିଗତ ତିନି ବର୍ଷ ମଧ୍ୟରେ କୌଣସି ଅବୈଧ ଗଛ କାଟିବା ଘଟଣା ନ ଘଟିବା ଏକ ପ୍ରଶଂସନୀୟ କାର୍ଯ୍ୟ।ସ୍ଥାନୀୟ ବଜ୍ରଗଡ ସଂରକ୍ଷିତ ଜଙ୍ଗଲ କୁ ସୁରକ୍ଷା ଦେବାରେ ସମିତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି।ଉକ୍ତ ଅଂଚଳରେ ଚାରିବର୍ଷ ଧରି ଜଙ୍ଗଲ ନିଆଁ ଘଟଣା ନ ଘଟିବା ସମିତିର ପ୍ରମୁଖ ସଫଳତା ମଧ୍ୟରୁ ଅନ୍ୟତମ। ସମିତିର ସଦସ୍ୟ ମାନେ ନିଜ ଘରେ ରୋଷେଇ ପାଇଁ ସ୍ମୋକଲେସ ଚୁଲ୍ଲା,ବାୟୋଗ୍ୟାସ ଓ ଏଲ ପି ଜି ବ୍ୟବହାର କରି ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇବା ଦିଗରେ ଅଗ୍ରଗାମୀ ଭୂମିକା ନିଭାଉଛନ୍ତି। ଏଠାରେ ପ୍ରକାଶ ଥାଉକି ଗତ ତିନି ବର୍ଷ ମଧ୍ୟରେ ଏ ଜେ ୱାଇ କ୍ୟାମ୍ପ ଓ ସି ଏସ ଆର ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପରେ ଜଙ୍ଗଲର ୧୪୫ ହେକ୍ଟର ଜମିରେ ୬୪୫୦୦ ଟି ଗଛ ରୋପଣ ଓ ତାହାର ସୁରକ୍ଷା କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏହି ଉଲ୍ଲେଖନୀୟ ଅବଦାନ ପାଇଁ ତୁଲାଙ୍ଗପଦର ସୁରକ୍ଷା ସମିତିକୁ ରାଜ୍ୟସ୍ତରୀୟ ବନ ମହୋତ୍ସବ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତରୁ ମୁଖ୍ୟମନ୍ତ୍ରୀ ପୁରସ୍କାର ସହିତ ନଗଦ ୨ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି।
