ନବରଙ୍ଗପୁର /କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ମୁନ୍ନା ଦଳେଇ) :ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ୧୯ ହଜାର ହେକ୍ଟର ଜମିକୁ ଜଳ ସେଚନ ହେବ । ଏଥିପାଇଁ ଉଭୟ ବ୍ଲକରେ ପାଇପ ପୋତା କାଯ୍ୟ ଜାରିରହିଛି । ଏଥିପାଇଁ ଏକ କମ୍ପାନୀ କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବଡ଼ ବଡ଼ ପାଇପ ପୋତିବା ପାଇଁ ଚାଷୀଙ୍କ ଜମିରେ ମାଟି ଖୋଳାଯାଇ ପାଇପ ବିଛା କାମ ଚାଲିଛି । ଏଥି ଯୋଗୁଁ ତେନ୍ତୁଳିଖୁଣ୍ଟି ବ୍ଲକର ଚାଷୀକୁଳ ଅଡୁଆରେ ପଡିଛନ୍ତି । କାର୍ଯ୍ୟ କରୁଥିବା ସମ୍ପୃକ୍ତ କମ୍ପାନୀ ଚାଷ ଜମିରେ ମାଟି ଖୋଳି ପାଇପ ବିଛାଇବା ପରେ ଅତି ହାଲୁକା ଭାବରେ ମାଟି ପକେଇ ଛାଡିଦେଇଛି । ଆଉ କେତେକ ସ୍ଥାନରେ ଆଦୌ ମାଟି ପୋତା ଯାଇନି । ପାଇପ ପୋତିବା ସ୍ଥାନରେ ମାଟି ଘୋଡେଇ ଭାଇଭ୍ରେଟ ମେସିନ ଦ୍ୱାରା ମାଟି ସମତୁଲ କରିବା କଥା । କିନ୍ତୁ ସମ୍ପୃକ୍ତ କମ୍ପାନୀ ଏହି ସବୁ କାମ ପ୍ରତି ଅଣଦେଖା କରି ଛାଡ଼ିଦେବା ଯୋଗୁଁ ଚାଷୀ ସମସ୍ୟାରେ ପଡ଼ିଛନ୍ତି । ବର୍ତ୍ତମାନ ଧାନ ରୁଆ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଜମି ଚଷିବା ସମୟରେ ଟ୍ରାକ୍ଟର ବୁଡ଼ି ଯାଉଛି । ପାଇପ ପକାଯାଇଥିବା ସ୍ଥାନରେ ପ୍ରତ୍ୟେକ ଦିନ ଟ୍ରାକ୍ଟର ମାଟି କାଦୁଅରେ ଫସିଯିବା ଯୋଗୁଁ ଚାଷୀକୁଳ ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଅନେକ ଚାଷୀ ପାଇପ ପଡ଼ିଥିବା ଜମିରେ ଚାଷ କରିନପାରି ପଡ଼ିଆ ପକେଇ କ୍ଷତିରେ ପଡିଛନ୍ତି । ଜଳସେଚନ ପାଇଁ କାର୍ଯ୍ୟ କରୁଥିବା ସମ୍ପୃକ୍ତ କମ୍ପାନୀର ବେପୁରିଆ କାର୍ଯ୍ୟ ଯୋଗୁଁ ଅଂଚଳର ଶତାଧିକ ଚାଷୀକୁଳ ବିଶେଷ କ୍ଷତିର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି । ଚଳିତ ବର୍ଷ ଅନେକ ଚାଷୀ ନିଜ ଜମିରେ ଖୋଳା ଯାଇଥିବା ସ୍ଥାନରେ ଚାଷ କାର୍ଯ୍ୟ କରିନପାରି ଚିନ୍ତାରେ ପଡିଛନ୍ତି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଜଳ ସେଚନ ପ୍ରକଳ୍ପ ଯୋଗୁଁ କ୍ଷତି ସହୁଥିବା ଚାଷୀଙ୍କୁ କ୍ଷତି ପୂରଣ କିଏ ଦେବ ବୋଲି ପ୍ରଶ୍ନ ଉଠିଛି । ଏଣୁ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଂଚଳର ଶତାଧିକ ଚାଷୀ ଦାବି କରିଛନ୍ତି ।
