ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : ଆଜି ତାଲଗୁଡ ମା ଡୋକରୀଙ୍କ ପୀଠରେ ଚାଲିଛି ମହାଷ୍ଟମୀ ପୂଜା।ମହାଷ୍ଟମୀ ଯାତ୍ରା ପାଇଁ ବାନେର ସ୍ଥିତ ମା’ ବୁଢ଼ୀ ପଦରେନଙ୍କ ସମେତ ଜୟପାଟଣା,ପିପଲଗୁଡା, ଖଲିଆଭଟା,କରଞ୍ଜିଗୁଡା, ମହିପାଣି ଆଦି ସ୍ଥାନ ଦେଇ ଦେବୀ ମା’ଙ୍କର ପ୍ରତୀକ ଲାଠି ଆସିଥାଏ। ପ୍ରାୟ ୨୦ କିଲୋମିଟର ରାସ୍ତା ଅତିକ୍ରମ କରି ମା’ ଡୋକରୀଙ୍କ ଅଷ୍ଟମୀ ପୂଜାରେ ଏହି ଲାଠି ମା’ଙ୍କ ପୂଜାରେ ବ୍ୟବହାର ହୁଏ । ଲାଠିଯାତ୍ରା ସମୟରେ ହଜାର ହଜାର ଶ୍ରଦ୍ଧାଳୁ ରାସ୍ତାର ଉଭୟ ପାର୍ଶ୍ଵରେ ରହି ମା’ଙ୍କୁ ଭକ୍ତି ଅର୍ଘ୍ୟ ଦେଇଥାନ୍ତି। ତେବେ ଅଷ୍ଟମୀ ମଧ୍ୟରାତ୍ରିରେ ମାନସିକଧାରୀମାନେ ବୋଦା ବଳି ଅର୍ପଣ କରନ୍ତି ଓ ଶେଷରେ ପୋଢ ବଳି ଦିଆ ଯାଇଥାଏ। ମହାନବମୀ ପୂଜା ପରେ ମା’ଙ୍କ ଦଶମୀ ତିଥିରେ ଅନ୍ତିମ ପୂଜା ହୁଏ । ଏହାପରେ ଦହି ଅନ୍ନ ଲାଗି ହୁଏ । ଦେବୀ ମା’ଙ୍କ ରୋପିତ ମସ୍ତକକୁ ବିସର୍ଜନ କଲାପରେ ମନ୍ଦିର ୯ ଦିନ ପାଇଁ କଣ୍ଟାବାଡ଼ ଦିଆଯାଇଥାଏ। ୯ ଦିନର ଅଣସର ପରେ ମା’ ପୁନର୍ବାର ପୂଜା ପାଇଥାନ୍ତି।