କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ବୋଦେଲବନ୍ଧ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣକର ମୃତ୍ୟୁ ହେଇଥିବା ବେଳେ ୪ଜଣ ଗୁରୁତର ହେଇଛନ୍ତି। ଗୁରୁତର ମାନଙ୍କୁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁସାରେ ଟେମରା ଗ୍ରାମର ବଜରଙ୍ଗୀ ନାଗ ଏବଂ ପ୍ରିୟଙ୍କା ନାଗ ନାମକ ଦୁଇ ଯୁବକ, ଯୁବତୀ ଏକ ବାଇକ ଯୋଗେ କଲମପୁରଠାରୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ବୋଦେଲବନ୍ଧ ରାସ୍ତା ଦେଇ ଫେରୁଥିବାବେଳେ ବିପରିତ ଦିଗରୁ ପାତ୍ରବସା ଗ୍ରାମର ହରି ବାଗ, ପଣ୍ଡିଗାଁର ଧବଳେଶ୍ୱର ମାଝୀ ଏବଂ ପରୁଆଗୁଡା ଠାରେ ରହୁଥିବା କୋକସରା ବ୍ଳକର କୁନା ମାଝୀ ପ୍ରମୁଖ ୩ ଜଣ ଅନ୍ୟ ଏକ ବାଇକରେ ସେହି ରାସ୍ତା ଦେଇ ପଣ୍ଡିଗାଁ ପଟକୁ ଆସୁଥିଲେ। ବୋଦେଲବନ୍ଧ ନିକଟରେ ଉଭୟ ବାଇକ ଚାଳକ ନିୟନ୍ତ୍ରଣ ହରାଇ ମୁହାଁ ମୁହିଁ ଧକ୍କା ହୋଇଥିଲା। ପ୍ରିୟଙ୍କା ଏବଂ ବଜରଙ୍ଗୀକୁ ଉଦ୍ଧାର କରି ଏକ ବାଇକ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅନ୍ୟପଟେ ୩ ଗୁରୁତର ଯୁବକଙ୍କୁ କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅତି ଗୁରୁତର ଥିବା ହରି ବାଗକୁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଆଶୁତୋଷ ପରିଡ଼ା ମୃତ୍ୟୁ ଘୋଷଣା କରିଥିଲେ। ପରେ କୁନା ଏବଂ ଧବଳେଶ୍ଵରକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
