ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଗୋଲାମୁଣ୍ଡା ବ୍ଲକ ସଭାଗୃହରେ ୭୬ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ ହୋଇଯାଇଛି। ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଡ଼ିଓ ଶ୍ରୀ ତ୍ରିପୁରା ମହାନନ୍ଦ,ବିଶିଷ୍ଟ ଅତିଥି ଭାବରେ ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ,ଅଧ୍ୟାପକ ପ୍ରଦୀପ ମିଶ୍ର,ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ସମାଜସେବୀ ଚୁନିଲାଲ ଅଗ୍ରୱାଲ,ଗୋଲାମୁଣ୍ଡା ଗ୍ରାମର ଗଉନ୍ତିଆ ସୁବାଷ ଚନ୍ଦ୍ର ରାଉତ, ସହିଦ ବିଜେନ୍ଦ୍ର ରାଉତଙ୍କ ଭଉଣୀ ଶ୍ରୀମତୀ ମାଣିକ୍ୟ ରାଉତ ଯୋଗଦେଇ ଥିବା ବେଳେ ଶ୍ରୀ ବିଶ୍ୱରଂଜନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଆରମ୍ବ ପୂର୍ବରୁ କଳାହାଣ୍ଡି ଇଷ୍ଟଦେବୀ ମାଁ ମାଣିକେଶ୍ବରୀ ଦେବୀଙ୍କ ଫଟୋ ମୂର୍ତ୍ତିକୁ ପୂଜାକରି ଶେଷରେ କଳାହାଣ୍ଡି ଗଠନ ଦିବସ ଉପରେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିମାନେ କଳାହାଣ୍ଡିର ଗଠନ କିପରି ହେଲା କଳାହାଣ୍ଡି ବୋଲି ନାମ କରଣ ଦିଆଗଲା ଏ ନେଇ ଏକ ସଂକ୍ଷିପ୍ତ ସମ୍ୟକ ଭାଷଣ ରଖିଥିଲେ । କଳାହାଣ୍ଡି ଗଠନ ଉପରେ କଳାହାଣ୍ଡି ମହାରାଜ ପ୍ରତାପ କେଶରୀ ଦେଓଙ୍କ ମୁଖ୍ୟ ଭୂମିକା ଥିଲା । ସେ କଟକ ଐତିହାସିକ ଲାଳବାଗ କୋଠିରେ ଏକ ମିଶ୍ରଣ ଚୁକ୍ତିରେ ଯୋଗ ଦେଇ କଳାହାଣ୍ଡି ଜିଲ୍ଲା ମାନ୍ୟତା ପାଇଁ ସ୍ଵାକ୍ଷର କରିଥିଲେ। ଏହାର ଠିକ ଏକବର୍ଷ ଦଶମାସ ପରେ ୧୯୪୯ ମସିହା ନଭେମ୍ବର ପହିଲାରେ ଏକ ସ୍ୱତନ୍ତ୍ର ଜିଲ୍ଲାର ପରିଚୟ ଲାଭ କରିଥିଲା। କଳାହାଣ୍ଡିରେ ଅନେକ କଲା ସଂସ୍କୃତି ଭରପୁର ଥିବାରୁ ଏହି ଜିଲ୍ଲାକୁ କଳାହାଣ୍ଡି ବୋଲି ନାମ କରଣ କରାଯାଇଥିଲା। ସେହିପରି ପରବର୍ତ୍ତୀ ସମୟରେ କାଶୀପୁର ମଧ୍ୟ କଳାହାଣ୍ଡିରୁ ପୃଥକ ହୋଇ କୋରାପୁଟରେ ମିଶିଥିବା ବେଳେ ୧୯୯୩ ମସିହାରେ ଓଡିଶାରେ ଶାସିତ ସରକାରଙ୍କ ଅନୁମୋଦନକ୍ରମେ ନୂଆପଡା ଜିଲ୍ଲା ପୁନର୍ଗଠନ ମାନ୍ୟତା ପାଇଥିଲା। ବର୍ତ୍ତମାନ ଧର୍ମଗଡ଼ ଓ ଭବାନୀପାଟଣା ସବଡ଼ିଭିଜନକୁ କଳାହାଣ୍ଡି ଜିଲ୍ଲା ବଳବତ୍ତର ରହିଛି । ଉକ୍ତ କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସହ ସମସ୍ତ ସାମ୍ୱାଦିକ ପ୍ରମୁଖ ଉପସ୍ଥିତ ଥିଲେ ।

