କୋଟାଗାଁ ଗ୍ରାହକ ସେବା କେନ୍ଦ୍ରରୁ ଚୋରି ; ୪ ଲକ୍ଷ ଟଙ୍କା ସହ କମ୍ପ୍ୟୁଟର ଓ ପ୍ରିଣ୍ଟର ନେଇଗଲେ ଦୃର୍ବୁତ୍ତ 

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ କୋଟାଗାଁ ସ୍ଥିତ ଏକ ଗ୍ରାହକ ସେବା କେନ୍ଦ୍ରରୁ ଶନିବାର ବିଳମ୍ବିତ ରାତିରେ ୫ ଜଣ ମୁଖାଧାରୀ ଦୁର୍ବୃତ୍ତ ଲୁଟ୍‌ପାଟ କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଦୋକାନର ଲୁହା କବାଟ ଭାଙ୍ଗି ଭିତରେ ପଶି ନଗଦ ୪ ଲକ୍ଷ ଟଙ୍କା, ଦୁଇଟି କମ୍ପ୍ୟୁଟର, ଗୋଟିଏ ଲାପଟପ୍, ଗୋଟିଏ ପ୍ରିଣ୍ଟର ମେସିନ, ୧୦୦ ଖଣ୍ଡ ଡାଟା କେବୁଲ ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ଜଣାପଡ଼ିଛି। ସୂଚନା ମୁତାବକ, କୋଟାଗାଁର ଅଭିମନ୍ୟୁ ମୁଣ୍ଡ ଉକ୍ତ ଗ୍ରାହକ ସେବା କେନ୍ଦ୍ର ପରିଚାଳନା କରି ଅଞ୍ଚଳର ହଜାର ହଜାର ଲୋକଙ୍କୁ ସେବା ଯୋଗାଇ ଆସୁଥିଲେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ସେ ଗ୍ରାହକ ସେବା କେନ୍ଦ୍ର ଜରିଆରେ ଟଙ୍କା ଉଠାଣ, ଜମା, ଜେରକ୍ସ ଏବଂ କଲର ଫଟୋ ଆଦି ବିଭିନ୍ନ ସେବା ପ୍ରଦାନ କରୁଥିଲେ। ଶନିବାର ସନ୍ଧ୍ୟାରେ ସେ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ। ବିଳମ୍ବିତ ରାତିରେ ୫ ଜଣ ମୁଖାଧାରୀ ଦୁର୍ବୃତ୍ତ ଲୁହା କବାଟ ଭାଙ୍ଗି ଭିତରକୁ ପଶି ଟଙ୍କା ଓ ବିଭିନ୍ନ ସାମଗ୍ରୀ ଧରି ଚମ୍ପଟ ମାରିଥିଲେ।

ରବିବାର ସକାଳେ ଅଭିମନ୍ୟୁ ଦୋକାନ ଖୋଲିବାକୁ ଆସିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏନେଇ ସେ ତୁରନ୍ତ କଲମପୁର ଥାନା ଓ ବଡ଼କୁଟ୍ରୁ ଫାଣ୍ଡିକୁ ସୂଚନା ଦେଇଥିଲେ। ଖବର ପାଇ ବଡ଼କୁଟ୍ରୁ ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲୋ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ପରେ କଲମପୁର ଥାନା ଅଧିକାରୀଙ୍କୁ ଅବଗତ କରିଥିଲେ। ପରେ କଲମପୁର ଥାନା ଅଧିକାରୀ ସୋନିଲୋ କଣ୍ଡାଗରି ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଅନ୍ୟପଟେ, ଦୁର୍ବୃତ୍ତମାନେ ରାତିରେ ଚୋରି ସାମଗ୍ରୀ ଧରି ଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *