ମାଦୁରାଇ/କ୍ରାନ୍ତିକ୍ଷେତ୍ର(ଆର ଶିଲ୍ପା ରେଡ୍ଡି): ଦୀର୍ଘଦିନର ବିବାଦ, ଆଇନଗତ ଲଢ଼େଇ ଓ ଉତ୍ତେଜନାର ଅବସାନ ଘଟାଇ ଶେଷରେ ତାମିଲିନଡୁର ପ୍ରସିଦ୍ଧ ଥିରୁପରାନକୁନ୍ଦ୍ରମ ପାହାଡ଼ ଉପରେ ଥିବା ପଥର ସ୍ତମ୍ଭ ‘ଦୀପଥୁନ୍’ରେ ଜଳିଛି ପବିତ୍ର କାର୍ତ୍ତିଗାଇ ଦୀପ। ଶନିବାର ଅପରାହ୍ଣ ଠିକ୍ ୫ଟାରେ ବୈଦିକ ରୀତିନୀତି ଅନୁସାରେ ପୂଜକମାନେ ଏହି ଦୀପ ପ୍ରଜ୍ୱଳନ କରିଛନ୍ତି। ଦୀର୍ଘ ଦଶନ୍ଧି ପରେ ଏହି ସ୍ଥାନରେ ଦୀପ ଜଳିବା ଘଟଣା ଶ୍ରଦ୍ଧାଳୁଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ଆନନ୍ଦ ଭରିଦେଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କଡ଼ା ସୁରକ୍ଷା ମଧ୍ୟରେ ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହୋଇଛି। ପାହାଡ଼ ଉପରେ ଅନୁଷ୍ଠିତ ସମାରୋହରେ କେବଳ ୫୦ ଜଣ ଭକ୍ତଙ୍କୁ ଯୋଗ ଦେବାକୁ ଅନୁମତି ଦିଆଯାଇଥିଲା। ଚଳିତ ନଭେମ୍ବର ୨୪ ତାରିଖରେ କାର୍ତ୍ତିଗାଇ ଦୀପମ୍ ଉତ୍ସବ ପାଳନ ବେଳେ ଦୀପଥୁନ୍ ସ୍ତମ୍ଭରେ ଦୀପ ଜଳାଯାଇ ନଥିଲା।
ଏହାକୁ ନେଇ ବିବାଦ ଦେଖାଦେଇଥିଲା। ସୁପ୍ରିମକୋର୍ଟ ଙ୍କ ଅନ୍ତରୀଣ ନିର୍ଦ୍ଦେଶ ସତ୍ତ୍ୱେ ସେଠାରେ ଦୀପ ଜଳାଯାଇନଥିବା ଅଭିଯୋଗ ହୋଇଥିଲା। ଏହା ବଦଳରେ ଉଚ୍ଚିପିଲ୍ଲୈୟାର ମନ୍ଦିର ନିକଟରେ ମହାଦୀପମ୍ ଜଳାଯାଇଥିଲା।ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଦୀପ ପ୍ରଜ୍ଜ୍ୱଳନ ପାଇଁ ପଦକ୍ଷେପ ନିଆଯାଇଥିଲା। ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଏସ୍. ବୈଦ୍ୟନାଥନ୍ ଓ ଜଷ୍ଟିସ୍ ଭି. ପାର୍ଥିବନ୍ ଏହି କାର୍ଯ୍ୟର ତଦାରଖ କରିଥିଲେ। ମନ୍ଦିର ପରିଚାଳନା ଦେଖାଶୁଣା ପାଇଁ ସୁପ୍ରିମକୋର୍ଟ ଏହି ଦୁଇ ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତ କରିଥିଲେ। ଦୀପ ଜଳିବା ମାତ୍ରେ ଭକ୍ତଙ୍କ ମଧ୍ୟରେ ଖେଳିଯାଇଥିଲା ଆନନ୍ଦର ଲହରୀ। ଚାରିଆଡ଼େ ଗୁଞ୍ଜରି ଉଠିଥିଲା ‘ବେତ୍ରିଭେଲ୍, ବୀରଭେଲ୍’ ଓ ‘ଭେଲ୍ ମୁରୁଗା, ଆରୋକରା’ ଧ୍ୱନି।
କେହି ଆନନ୍ଦରେ ନାରା ଦେଉଥିଲେ ତ ଆଉ କେହି ଭାବବିହ୍ୱଳ ହୋଇ ଆଖିରୁ ଲୁହ ଗଡ଼ାଉଥିଲେ। ଦୀପ ଜଳିବା ପରେ ଲୋକେ ବାଣ ଫୁଟାଇ ଖୁସି ମନାଇଥିଲେ। ସକାଳ ଠାରୁ ହଜାର ହଜାର ଭକ୍ତ ପାହାଡ଼ ତଳେ ଏକାଠି ହୋଇଥିଲେ।ଏହାପରେ ନଭେମ୍ବର ୨୭ରେ ସୁପ୍ରିମକୋର୍ଟ ତାମିଲନାଡ଼ୁ ସରକାରଙ୍କୁ ଅବମାନନା ନୋଟିସ୍ ଜାରି କରିବା ସହ ମନ୍ଦିର ପରିଚାଳନା କମିଟିକୁ ନିଲମ୍ବିତ କରିଥିଲେ। ମନ୍ଦିର ପରିଚାଳନା ତଦାରଖ ପାଇଁ ଅବସରପ୍ରାପ୍ତ ବିଚାରପତି ଏସ୍. ବୈଦ୍ୟନାଥନ୍ ଓ ଭି. ପାର୍ଥିବନ୍ଙ୍କୁ ନିଯୁକ୍ତ କରାଯାଇଥିଲା। ଏଥିସହ ପାହାଡ଼ର ସୁରକ୍ଷା ଦାୟିତ୍ୱ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆରପିଏଫ୍)କୁ ଦିଆଯାଇଥିଲା। ଶନିବାର ସକାଳୁ ଦୀପ ପ୍ରଜ୍ୱଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଦୀପଥୁନ୍ ଚାରିପାଖରେ ଅସ୍ଥାୟୀ ମଞ୍ଚ ଓ ଲୁହା ଢାଞ୍ଚା ନିର୍ମାଣ କରାଯାଇଥିଲା।
ଘିଅ, ମାଟିଦୀପ ଓ ଆବଶ୍ୟକ ସାମଗ୍ରୀ ପାହାଡ଼ ଉପରକୁ ନିଆଯାଇଥିଲା। ନିକଟସ୍ଥ ସିକନ୍ଦର ବାଦୁଶା ଦରଘାକୁ ଯାଉଥିବା ମୁସଲମାନ ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ସୁରକ୍ଷା ଯାଞ୍ଚ ପରେ ପ୍ରବେଶ ବ୍ୟବସ୍ଥା ରହିଥିଲା। କାର୍ତ୍ତିଗାଇ ଦୀପ ଜଳିବା ଘଟଣାକୁ ବିଜେପି ସ୍ବାଗତ କରିବା ସହିତ ଏହାକୁ ସନାତନର ବିଜୟ ବୋଲି କହିଛି।
