ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର (ଚୌଧୀରି ସାହୁ) : ମିଲନ ପରିବାର, ନୂଆଦିଲ୍ଲୀ ପକ୍ଷରୁ ଆୟୋଜିତ ନୂଆଁଖାଇ ଭେଟଘାଟ୍ ସମାରୋହରେ ପଶ୍ଚିମ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା ଓ ଲୋକକଳାର ମନୋରମ ଝଲକ ଦେଖିବାକୁ ମିଳିଥିଲା। ପଣ୍ଡାରା ପାର୍କଠାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଦିଲ୍ଲୀ-ଏନ୍ସିଆର୍ରୁ ପ୍ରାୟ ୨୦୦୦ରୁ ୨୫୦୦ ପ୍ରବାସୀ ଓଡ଼ିଆ ଯୋଗଦେଇଥିଲେ। ସମାରୋହ ପାଇଁ ଓଡ଼ିଶାରୁ ୪୦ରୁ ଅଧିକ ଲୋକକଳାକାରଙ୍କୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ କରାଯାଇଥିଲା। କଳାକାରମାନେ ଲୋକଗୀତ, ଲୋକନୃତ୍ୟ ଓ ପାରମ୍ପରିକ ବାଦ୍ୟଯନ୍ତ୍ରର ମନୋମୁଗ୍ଧକର ପ୍ରଦର୍ଶନ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିଥିଲେ। କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ମିଲନ ପରିବାରର ସମସ୍ତ ସଦସ୍ୟ ଓ ଅତିଥିମାନେ ପଶ୍ଚିମ ଓଡ଼ିଶାର ପାରମ୍ପରିକ ସମ୍ବଲପୁରୀ ଶାଢ଼ି, କୁର୍ତ୍ତା ଓ ଅନ୍ୟାନ୍ୟ ପାରମ୍ପରିକ ପୋଷାକ ପରିଧାନ କରି ଯୋଗଦେବା। ଫଳରେ ସମଗ୍ର ପରିବେଶ ପଶ୍ଚିମ ଓଡ଼ିଶାର ରଙ୍ଗରେ ରଙ୍ଗୀନ ହୋଇଉଠିଥିଲା। କାର୍ଯ୍ୟକ୍ରମକୁ ଉଦ୍ଘୋଷକ ସୁଧୀର ନାଏକ ଓ ଜଗଦୀଶ ହଂସ ସଫଳତାର ସହ ପରିଚାଳନା କରିଥିଲେ। ଏହି ଅବସରରେ ପ୍ରସିଦ୍ଧ ଲୋକଗାୟକ ତ୍ରିଲୋଚନ ସୁନା, ଦୁଷ୍ମନ୍ତ ସୁନା, ସୁଚିତ୍ରା ଦାସ, ସମୀର ଲୁହା ଏବଂ ପଶ୍ଚିମ ଓଡ଼ିଶାର ଖ୍ୟାତନାମା ଗାୟିକା ସଞ୍ଜୁ ମହାନ୍ତି ନିଜର ସୁମଧୁର କଣ୍ଠରେ ପରିବେଶକୁ ସଙ୍ଗୀତମୟ କରିଦେଇଥିଲେ। କଳାକାରମାନଙ୍କ ଦ୍ୱାରା ପରିବେଷିତ ଦୁଲଦୁଲି ବାଦ୍ୟର ତାଳେ ଦର୍ଶକମାନେ ନିଜକୁ ନାଚିବାରୁ ରୋକି ପାରିନଥିଲେ। ଦୁଲଦୁଲିର ତାଳେ ଡାଲଖାଇ, ରଙ୍ଗବତୀ, ରସରକେଲି, ମାଏଲଜଡ଼, ସିଂଘାରୀ ଓ ବଜ୍ନିଆ ଭଳି ଲୋକପ୍ରିୟ ଲୋକବାଦ୍ୟରେ ଲୋକେ ମନଭରି ନୃତ୍ୟ କରିଥିଲେ। ବିଶେଷକରି ସଞ୍ଜୁ ମହାନ୍ତିଙ୍କ ଗୀତରେ ଦର୍ଶକଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ପରିଲକ୍ଷିତ ହୋଇଥିଲା ଏବଂ ବହୁ ସଂଖ୍ୟାରେ ଲୋକେ ମଞ୍ଚ ସମ୍ମୁଖରେ ନୃତ୍ୟ କରିଥିଲେ। ସମାରୋହରେ ପଶ୍ଚିମ ଓଡ଼ିଶାର ପାରମ୍ପରିକ ବ୍ୟଞ୍ଜନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜ୍ୱେଲ୍ ଅଫ୍ କଳାହାଣ୍ଡି ଓର୍କେଷ୍ଟ୍ରା ଏବଂ ମୃଣ୍ମୟୀ କଲ୍ଚରାଲ ସୋସାଇଟି, ଭବାନୀପାଟଣା ପକ୍ଷରୁ ସାଂସ୍କୃତିକ ଗୀତ ଓ ନୃତ୍ୟ ପରିବେଷଣ ହୋଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ବୈଜୟନ୍ତ ପଣ୍ଡା, ବିକାଶ ଫାଉଣ୍ଡେସନ ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ ଏବଂ ଦିଲ୍ଲୀ ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀଙ୍କ ଧର୍ମ ପତ୍ନୀ ସ୍ୱାତୀ ସିଂହ ବର୍ମା ଉପସ୍ଥିତ ରହିଥିଲେ। ସେମାନଙ୍କ ଉପସ୍ଥିତି ସମାରୋହର ଗରିମାକୁ ଆହୁରି ବଢ଼ାଇଥିଲା। ମିଲନ ପରିବାରର ସଭାପତି ଶଶି ଭୂଷଣ ମହାନନ୍ଦ ଏବଂ ସମ୍ପାଦକ ବିଶ୍ୱନାଥ ନାଗ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ସଦସ୍ୟ, ସଦସ୍ୟା, କଳାକାର ଓ ଉପସ୍ଥିତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଥିଲେ। ସେମାନେ କହିଥିଲେ, “ଏଭଳି ଆୟୋଜନ କେବଳ ଆମର ସଂସ୍କୃତି ଓ ପରମ୍ପରାକୁ ସୁଦୃଢ଼ କରେ ନାହିଁ, ବରଂ ନୂଆ ପିଢ଼ିକୁ ନିଜ ମାଟି ଓ ମୂଳ ସହିତ ଯୋଡ଼ିବା ସହିତ ଭାଇଚାରାକୁ ମଧ୍ୟ ସୁଦୃଢ଼ କରିଥାଏ।” ମିଳନ ପରିବାରର ସମସ୍ତ ସଦସ୍ୟଙ୍କ ପାରସ୍ପରିକ ସହଯୋଗ ଓ ସହଭାଗିତାରେ ଏହି ଭବ୍ୟ ନୂଆଁଖାଇ ଭେଟଘାଟ୍ ସମାରୋହ ସଫଳତାର ସହ ସମ୍ପନ୍ନ ହୋଇଥିଲା।
