ମହୁରି ପୁରସ୍କାର–୨୦୨୬ ପାଇଁ ଡ଼. ସ୍ୱପ୍ନା ମିଶ୍ର ମନୋନୀତ

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର : ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ପରିଚିତ ସ୍ରଷ୍ଟା, କବି, ଗାଳ୍ପିକା, ଔପନ୍ୟାସିକା ଓ ଅନୁବାଦିକା ଡ. ସ୍ୱପ୍ନା ମିଶ୍ର ତାଙ୍କର ଦୀର୍ଘ ସାହିତ୍ୟିକ ସାଧନା, ସୃଜନଶୀଳତା ଓ ବହୁମୁଖୀ ଲେଖନୀ ପାଇଁ ଞ୍ଚମହୁରି ପୁରସ୍କାର–୨୦୨୬ ନିମନ୍ତେ ମନୋନୀତ ହୋଇଛନ୍ତି। ଆସନ୍ତା ୨୦ ଡିସେମ୍ବର ୨୦୨୬ରେ ଭୁବନେଶ୍ୱରସ୍ଥିତ ସେଣ୍ଡି ଟାୱାରଠାରେ ଆୟୋଜିତ ହେବାକୁ ଥିବା ମହୁରିର ଉନବିଂଶ ବାର୍ଷିକ ଉତ୍ସବ ସମାରୋହରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ଏହି ଘୋଷଣା କରିଛନ୍ତି ମହୁରିର ମୁଖ୍ୟ ସଂପାଦକ ଡ. ଭବାନୀଶଙ୍କର ନିଆଲ। ୧୯୭୦ ମସିହାରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳରେ ଜନ୍ମଗ୍ରହଣ କରିଥିବା ଡ. ସ୍ୱପ୍ନା ମିଶ୍ର ଓଡ଼ିଆ ଭାଷା ଓ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌.ଡି. ଡିଗ୍ରୀ ଲାଭ କରିଛନ୍ତି। ତିନି ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର ସାହିତ୍ୟିକ ଯାତ୍ରା ଓଡ଼ିଆ ସୃଜନଶୀଳ ଜଗତକୁ ସମୃଦ୍ଧ କରିଆସିଛି। ତାଙ୍କର କବିତା ମନୁଷ୍ୟର ଅନ୍ତର୍ଜଗତ, ଜୀବନର ଜଟିଳତା, ସମୟ, ସମ୍ପର୍କ, ମୃତ୍ୟୁବୋଧ, ସ୍ମୃତି ଓ ଅସ୍ତିତ୍ୱର ବିଭିନ୍ନ ଅନୁଭୂତିକୁ ସ୍ପର୍ଶ କରେ। କବିତା, ଗଳ୍ପ ଓ ଉପନ୍ୟାସ ମାଧ୍ୟମରେ ସେ ନିଜର ଏକ ସ୍ୱତନ୍ତ୍ର ସାହିତ୍ୟିକ ପରିଚୟ ଗଢ଼ି ତୋଳିଛନ୍ତି। ୨୦୦୮ ମସିହାରୁ ନିୟମିତ ପ୍ରକାଶ ପାଉଥିବା ଷାଣ୍ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା ମହୁରିର ବାର୍ଷିକ ଉତ୍ସବ ଅବସରରେ ମହୁରିରେ ଲେଖାଲେଖି କରୁଥିବା ଜଣେ ଲେଖକଙ୍କୁ ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ଡ. ସ୍ୱପ୍ନା ମିଶ୍ରଙ୍କ ଉପନ୍ୟାସ ‘ମୟୀ’ ମହୁରିରେ ପ୍ରକାଶ ପାଇ ବିପୁଳ ପାଠକୀୟ ଶ୍ରଦ୍ଧା ସାଉଁଟିଛି। ପ୍ରକାଶ ଥାଉ କି ଏଥିପୂର୍ବରୁ ଲେଖକ ବିଷ୍ଣୁପଦ ସେଠୀ, ଗାଳ୍ପିକ ଓ ଔପନ୍ୟାସିକ ସତ୍ୟପ୍ରିୟ ମହାଳିକ, କବି ସୁଚେତା ମିଶ୍ର, ଗଦ୍ୟ ସାହିତ୍ୟର ବିଶିଷ୍ଟ ବିନ୍ଧାଣୀ ପ୍ରଫେସର ଆଦିକନ୍ଦ ସାହୁ, ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା, କବି ଡ. ସୁରେଶ ନାୟକ, କବି ଲକ୍ଷ୍ମୀନାରାୟଣ ହୋତା, କବି ଓ ଗୀତିକାର ଡ.ରଞ୍ଜନ କୁମାର ଦାସ, କବି ଡ. ଗାୟତ୍ରୀବାଳା ପଣ୍ଡା, କଥାକାର ଡ. ନୃପରାଜ ସାହୁ ଓ କବି ଡ. ପ୍ରୀତିଧାରା ସାମଲ ଏହି ସମ୍ମାନରେ ସମ୍ମାନୀତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *