କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ନୂଆଗାଁ ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହାତୀ ନଦୀ କର୍ମେଲ ଘାଟରେ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ କରାଯାଇଥିଲା। ପୂର୍ବଦିନ ସନ୍ଧ୍ୟାରେ ଏକ ବର୍ଣାଢ୍ୟ ପରିବେଶରେ ବୋଇତକୁ ସଜ୍ଜିତ କରି ନାମ ସଂକୀର୍ତ୍ତନ ସହ ଗ୍ରାମ ପରିକ୍ରମା କରାଯାଇଥିଲା। ଗ୍ରାମ୍ୟ କମିଟିର ସଭାପତି ଛବିଲାଲ ସାହୁଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଧର୍ମଗଡ଼ ଉପଖଣ୍ଡ ସଭାପତି କୃଷ୍ଣଚନ୍ଦ୍ର ସାହୁ ଅତିଥି ଭାବେ ଯୋଗଦେଇ ଅତୀତର ସାଧବ ପୁଅର ଦାୟଦ ଭାବେ ଐତିହାସିକ ନୌବାଣିଜ୍ୟର ସ୍ମୃତିଚାରଣ କରିଥିଲେ। ପୂର୍ବ ପୁରୁଷ ନୌକା ନେଇ ବ୍ୟବସାୟ ପାଇଁ ବିଭିନ୍ନ ଅଞ୍ଚଳକୁ ଯାଉଥିଲେ, ସେହି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ସମାଜର ରାଧାମୋହନ ସାହୁ,ପ୍ରେମଲାଲ ସାହୁ,କମଳାକାନ୍ତ ସାହୁ, ଛଚିନ୍ଦ୍ର ସାହୁ, ଟିକେରାମ ସାହୁ, ମଦନ ସାହୁଙ୍କ ସହଯୋଗରେ ସମସ୍ତ ତୈଳିକ ସାହୁ ପରିବାରର ସଦସ୍ୟ ଏକତ୍ର ହେଇ ଏହି ବୋଇତ ବନ୍ଦାଣରେ ସାମିଲ ହୋଇଥିଲେ । ଗାଁର ଜଗନ୍ନାଥ ମନ୍ଦିରରେ ପୁରାଣ ପାଠର ଆୟୋଜନ କରାଯିବା ସହ ପବିତ୍ର ପଞ୍ଚୁକରେ ପାଞ୍ଚ ଦିନ ତୁଳସୀ ରାମାୟଣ ପାରାୟଣ ଆୟୋଜିତ କରାଯାଇଥିଲା। ଭୋରରୁ ସମସ୍ତେ ନଦୀ ଘାଟକୁ ଯାଇ ପବିତ୍ର ବୁଡ ପକାଇ ବୋଇତ ବନ୍ଦାଣ କରିଥିଲେ। ହୁଳ ହୁଳି ହରିବୋଲ ସହ ନାମ ସଂକୀର୍ତ୍ତନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ପରମାନନ୍ଦ ସାହୁ,ମନୋଜ କୁମାର ସାହୁ,କୋଦଣ୍ଡଧର ସାହୁ,ନବିନ ସାହୁ,ଅଜିତ ସାହୁ, ବବଲୁ ସାହୁ, ବିଦ୍ୟାଧର ସାହୁ, କ୍ଷିତିବନ୍ତ ସାହୁ, ନଳିନ ସାହୁଙ୍କ ସହ ଗ୍ରାମର ଅନ୍ୟ ଯୁବ ଗୋଷ୍ଠୀ ସହଯୋଗ କରିଥିଲେ।
