ଅନେକ ଦିନ ତଳର କଥା। ମହାରାଣୀ ସୁଶୋଭନା ଓ ମହାରାଜ ପରୀକ୍ଷିତଙ୍କ ପୁତ୍ର ଶଳ ଅହଂକାରୀ, ଗର୍ବୀ, ଉଦ୍ଧତ ସ୍ବଭାବର ଥିଲେ। ରାଜକୁମାର ଶଳ ଶିକାର ପ୍ରିୟ ଥିଲେ। ସେ ଅନେକ ସମୟରେ ବଣର ଜୀବଜନ୍ତୁଙ୍କୁ ଶିକାର କରି ଆନନ୍ଦ ଲାଭ କରୁଥିଲେ। ଏକଦା ସେ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ଏକ ହରିଣର ପିଛା କରି ବହୁ ଦୂରକୁ ଚାଲିଯାଇଥିଲେ, ହେଲେ ଶିକାର କରିବାକୁ ସକ୍ଷମ ହୋଇ ନଥିଲେ। ରଥରେ ଯୋଚା ଯାଇଥିବା ଘୋଡ଼ା ଦ୍ବୟ ଥକି ପଡ଼ିଥିଲେ। ଶଳ କିନ୍ତୁ ଚାହୁଁଥିଲେ କୌଣସି ପ୍ରକାରେ ଶିକାର କରି ଫେରିବା ପାଇଁ। ବିଷଣ୍ଣ ଭାବରେ ଫେରୁଥିବାବେଳେ ସଂଯୋଗବଶତଃ ଦେଖିବାକୁ ପାଇଥିଲେ ଏକ ଆଶ୍ରମରେ ଦୁଇଟି ସୁନ୍ଦର ଘୋଡ଼ା ବନ୍ଧା ହୋଇଛନ୍ତି। ବାସୁଦେବ ନାମକ ଜଣେ ତ୍ୟାଗୀ ତପସ୍ବୀଙ୍କର ସେହି ଘୋଡ଼ା ଦୁଇଟିକୁ ଦେଖି ଶଳ ମନେମନେ ଭାବିଲେ କ୍ଳାନ୍ତ ହୋଇପଡ଼ିଥିବା ଏହି ଘୋଡ଼ା ଦ୍ବୟ ପରିବର୍ତ୍ତେ ଯଦି ମୁଁ ଆଶ୍ରମର ଘୋଡ଼ାଦ୍ବୟକୁ ନେବାରେ ସକ୍ଷମ ହୁଅନ୍ତି ତେବେ ଶିକାର କରିପାରନ୍ତି ନିଶ୍ଚୟ। ଏପରି ଭାବି ସେ ଆଶ୍ରମ ଭିତରକୁ ପ୍ରବେଶ କଲେ। ତପସ୍ୱି ରାଜକୁମାର ଶଳଙ୍କୁ ଆତିଥ୍ୟ ପ୍ରଦାନ କଲେ। ତପସ୍ୱି ବାସୁଦେବ ରାଜକୁମାରଙ୍କୁ ଆଶ୍ରମକୁ ଆସିବାର ଉଦ୍ଦେଶ୍ୟ ଜିଜ୍ଞାସା କଲେ। ଶଳ ନିଜ ଅଭିଳାଷ ସନ୍ଥଙ୍କୁ କହିଥିଲେ। ସନ୍ଥ ଗୋଟିଏ ସର୍ତ୍ତ ରଖିଥିଲେ – ‘କାର୍ଯ୍ୟସିଦ୍ଧି ପରେ (ଶିକାର କରିବା ପରେ) ଘୋଡ଼ା ଦୁଇଟି ଫେରାଇ ଦେବେ।’ ଶଳ ଅଙ୍ଗୀକାର କରି ଘୋଡ଼ାଦ୍ବୟକୁ ନେଇଥିଲେ। ଶଳ ସେହି ଘୋଡ଼ା ଦ୍ୱୟଙ୍କୁ ନେଇ ରଥରେ ଯୋଚି ଶିକାର କରିବାକୁ ବାହାରିଲେ। ଜନ୍ତୁ ଶିକାର ହେଲା କିନ୍ତୁ ଶଳ ନିଜ ଅହଂକାର ଯୋଗୁଁ ତପସ୍ବିଙ୍କ ସର୍ତ୍ତକୁ ଭୃକ୍ଷେପ କଲେନାହିଁ।ସେ ଜନ୍ତୁ ଶିକାର କରି ତପସ୍ବୀଙ୍କ ଆଶ୍ରମକୁ ଯିବା ପରିବର୍ତ୍ତେ ରାଜଧାନୀ ଅଭିମୁଖେ ଯାତ୍ରା କରିଥିଲେ ଆଶ୍ରମର ଘୋଡ଼ା ଦ୍ବୟଙ୍କୁ ନେଇ। ରାଜଧାନୀକୁ ଫେରୁଥିବାବେଳେ ଭିକ୍ଷା ସଂଗ୍ରହ କରି ଫେରୁଥିବା ତପସ୍ବୀ ବାସୁଦେବଙ୍କ ଶିଷ୍ୟମାନେ ନିଶ୍ଚିତ ହୋଇଯାଇଥିଲେ ଶଳ ସର୍ତ୍ତ ଉଲ୍ଲଙ୍ଘନ କରି ଆଶ୍ରମର ଘୋଡ଼ାଦ୍ବୟଙ୍କୁ ଅନ୍ୟାୟ ପୂର୍ବକ ନେଇ ଯାଉଛନ୍ତି। ଶଳଙ୍କୁ ରୋକି ଏଥିରୁ ନିବୃତ୍ତ ରହିବାକୁ କହିଥିଲେ। ଅନ୍ତତଃ ଆଶ୍ରମର ଘୋଡ଼ାଙ୍କୁ ନିଜର ବୋଲି ଦାବି ନ କରି ଅବିଳମ୍ବେ ଫେରାଇ ଦେବା ଭଲ ହେବ ବୋଲି କହିଥିଲେ। ଉଦ୍ଧତ, ଗର୍ବୀ ଶଳ ଅନୁରୋଧକୁ ଭ୍ରୂକ୍ଷେପ ନକରି ଦାମ୍ଭିକତାର ସହ କହିଥିଲେ – ‘ଏଭଳି ସୁନ୍ଦର, ବଳଶାଳୀ ଘୋଡ଼ା ଦୁଇଟି ଜଣେ ସଂସାର ବୈରାଗୀ ତପସ୍ବୀଙ୍କର କି କାମରେ ଆସିବ? ଘୋଡ଼ାରେ ତାଙ୍କର ବା କି ପ୍ରୟୋଜନ। ଏହା ତ ରାଜାଙ୍କ ସମ୍ପତ୍ତି। ହଁ, ଫେରିଯାଇ ତପସ୍ବୀଙ୍କୁ କହିବ ସେ ମୋତେ ରାଜଧାନୀରେ ସାକ୍ଷାତ୍ କରିବେ। ମୁଁ ତାଙ୍କୁ ଘୋଡ଼ା ଫେରାଇବି ନାହିଁ। ଏହି ଦୁଇ ଘୋଡ଼ା ବଦଳରେ ମୁଁ ତାଙ୍କୁ କିଛି ଉତ୍ତମ ଲକ୍ଷଣଯୁକ୍ତ ଦୁଧିଆଳୀ ଧେନୁ ଦେବି।’ ଏହା କହି ଘୋଡ଼ା ଦ୍ବୟଙ୍କୁ ଚାବୁକ ମାରି ଦ୍ରୁତ ଗତିରେ ରାଜଧାନୀ ଅଭିମୁଖେ ଚାଲିଯାଇଥିଲେ। ଅତି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। ସେହି ଘୋଡ଼ାଦ୍ବୟ ଦୁଇ ରାକ୍ଷସରେ ପରିଣତ ହୋଇଯାଇଥିଲେ। ଶଳଙ୍କ ରଥକୁ ତତ୍କ୍ଷଣାତ୍ ଓଲଟାଇ ଦେବା ସହ କୃତଘ୍ନ, ମିଥ୍ୟାବାଦୀ, ବିଶ୍ବାସଦ୍ରୋହୀ ଶଳଙ୍କୁ ହତ୍ୟା କରି ତପସ୍ବୀଙ୍କ ଆଶ୍ରମ ଅଭିମୁଖେ ଅଗ୍ରସର ହୋଇଥିଲେ। ଆଶ୍ରମରେ ପହଞ୍ଚିବା ପୂର୍ବରୁ ଦୁହେଁ ପୂର୍ବ ଭଳି ଘୋଟକ ହୋଇଯାଇଥିଲେ। ସତ୍ୟ ପ୍ରତି ଦ୍ରୋହ ଆଚରଣ ସହ କପଟାଚାର କରି ଶଳ ଉପଯୁକ୍ତ ଶାସ୍ତି ପାଇଥିଲେ।
