ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର ଆହତ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଛୁଲା ପଞ୍ଚାୟତ କୁଣ୍ଡିଗୁଡା ଗ୍ରାମର ଜଣେ ବୃଦ୍ଧ ଭାଲୁ ଆକ୍ରମଣ ଶିକାର ହୋଇ ଗୁରୁତର ହୋଇଛନ୍ତି। ଗୁରୁତର ବୃଦ୍ଧ ଉଦେ ମାଝୀ(୬୦) ବୋଲି ଜଣାପଡ଼ିଛି। ମଙ୍ଗଳବାର ଭୋର ସମୟରେ ବୃଦ୍ଧ ଶୌଚ ପାଇଁ ନିଜ ଚାଷଜମି ଆଡକୁ ଯାଇଥିବା ବେଳେ ଅତର୍କିତ ଭାବେ ଏକ ଜଙ୍ଗଲି ଭାଲୁ ଆକ୍ରମଣ କରିଥିଲା। ଫଳରେ ବୃଦ୍ଧଙ୍କ ମୁଣ୍ଡ ଓ ପିଠିରେ ବହୁତ କ୍ଷତ ହୋଇଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଗୁରୁତର ଉଦେଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ଅନ୍ୟପଟେ ବନ ବିଭାଗର କର୍ମଚାରୀ ମାନେ ମେଡିକାଲରେ ପହଞ୍ଚି କାଗଜ ପତ୍ର ସଂଗ୍ରହ କରିବା ସହ ଆବଶ୍ୟକ ହିସାବରେ କ୍ଷତିପୂରଣ ସହାୟତା ଯୋଗାଇ ଦେବାପାଇଁ କହିଛନ୍ତି।