ପାପଡ଼ାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡ଼ା ଗ୍ରାମରୁ ଆସିଛି ସ୍ୱାସ୍ଥ୍ୟ ସୋବାର ଏକ ବିକଳ ଚିତ୍ର। ମେଡିକାଲରେ ଶିଶୁ ପୁତ୍ରର ମୃତ୍ୟପରେ ମହାପରାୟଣ ଗାଡ଼ି (ଆମ୍ବାଲନ୍ସ) ନ ମିଲୁବାରୁ ରାସନ କାର୍ଡ ବନ୍ଧକ କରି ଘରକୁ ଶିଶୁଙ୍କ ଶବ ଆଣିଥିବା ଅଭିଯୋଗ ହେଇଛି। ଅଭିଯୋଗ ଅନୁସାରେ, ଦଳେଇଗୁଡ଼ା ଗ୍ରାମର ନକୁଳ ଭତରାଙ୍କ ସ୍ତ୍ରୀ ଅମ୍ବିକା ନାୟକଙ୍କ ଗତ ୨୯ ତାରିଖରେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁଟି ଜନ୍ମ ଗ୍ରହଣ କରିଥିଲେ। କିନ୍ତୁ ତାର ଓଜନ କମ ଥିବାରୁ ଡାକ୍ତର ଶିଶୁଟିକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଦେଇଥିଲେ। ନବରଙ୍ଗପୁର ମେଡିକାଲରୁ ଗତ ୫ ତାରିଖରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତ୍ରରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଶିଶୁ ମୃତ୍ୟୁ ବରଣ କରିଥିଲେ। ଶିଶୁଟିର ମୃତ୍ୟୁ ପରେ କାର୍ଯ୍ୟରତ ଡାକ୍ତର ଶିଶୁଙ୍କ ମାତା ପିତାଙ୍କୁ ମହାପରାୟଣ ସେବା ଯୋଗାଇ ନଦେଇ ସେଠାରେ କେଉଁ ସ୍ଥାନରେ ପୋତି ଦେଇ ବସରେ ଚାଲିଯିବାକୁ ପରାମର୍ଶ ଦେଇଥିବା, ନଚେତ ବାଇକରେ ମର ଶରୀରକୁ ଘରକୁ ନେବା ଲାଗି କହିଥିବା ମାତା ପିତା ଅଭିଯୋଗ କରିଛନ୍ତି। ଏଥିରେ ନକୁଳ ଓ ଅମ୍ବିକା ଭାଙ୍ଗି ପଡ଼ିଥିଲେ, ଅନେକ କାକୃତି ମିନତୀ ହୋଇ ମହାପରାୟଣ ଗାଡ଼ି ଲାଗି ନିବେଦନ କରିଥିଲେ। କିନ୍ତୁ କେହି ସେମାନଙ୍କର କଥା ଶୁଣି ନ ଥିଲେ। ପରେ ନକୂଳ ଘର ଲୋକଙ୍କୁ ଫୋନ କରି ଜଣାଇବା ସହ ଆବଶ୍ୟଜ ଅର୍ଥ ନ ଥିବାରୁ ଭାଙ୍ଗିପଡ଼ିଥିଲେ। ନକୂଳ ଶେଷରେ ନିଜ ପରିବାରର ରାସନ କାର୍ଡ ବନ୍ଧକ କରିବା ଲାଗି ବାଧ୍ୟ ହୋଇଥିଲେ। ଏହି କାର୍ଡ ଉପରେ ପରିବାର ସାତ ଜଣ ସଦସ୍ୟ ନିର୍ଭରଶିଳ ରହିଛନ୍ତି। ଏକ ଘରୋଇ ଆମ୍ବୁଲାନ୍ସକୁ ପାଞ୍ଚ ହଜାର ଦେଇ ଶିଶୁ ପୁତ୍ରଙ୍କ ମର ଶରୀର ଘରକୁ ଆଣିବା ପରେ ଘର ପରିସରରେ ତାର ସତ୍କାର କରାଯାଇଥିଲା। ମହାପରାୟଣ ସେବା ଅନ୍ୟ ଜିଲ୍ଲାକୁ ନେବା ଲାଗି ନ ଥିବା ବେଳେ ନବରଙ୍ଗପୁର ଜିଲ୍ଲାର ପ୍ରାୟ ରୋଗି ଗୁରୁତର ହେଲେ କୋରାପୁଟ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଉଛି। ସେଠାରେ କିଛି ଅଘଟଣ ହେଲେ ରୋଗିଙ୍କ ପରିବାର ହନ୍ତ ସନ୍ତ ହେବା ଦେଖାଦେଉଛି। ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।
