କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ କାଣ୍ଡେଲ ଅଞ୍ଚଳରେ ପୁଣି ବାରହା ଆତଙ୍କ ଦେଖିବାକୁ ମିଳିଛି। ଚାଷ ଆରମ୍ଭରୁ ବିଲରେ ପଶି ଚାଷ ଖରାପ କଲେ, ଶେଷରେ ଖଳାରେ ଶୁଖୁଥିବା ଧାନକୁ ବି ଛାଡିଲେ ନାହିଁ। ପ୍ରାପ୍ତ ସୁଚନା ଅନୁଯାୟୀ କାଣ୍ଡେଲ ଅଞ୍ଚଳରେ ଗତ କିଛି ମାସ ଧରି ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି ଜଙ୍ଗଲି ବାରହା। ଏଯାଏଁ ଚାଷୀଙ୍କୁ ପ୍ରଥମ ସହାୟତା ମିଳିନ ଥିବା ବେଳେ, ଏବେ ଅମଳ ଧାନକୁ ମଧ୍ୟ ଦଳି ଦେଇଛନ୍ତି ବାରହା ପଲ। ଗତ ସୋମବାର ମଧ୍ୟରାତ୍ରିରେ ଚାଷୀ ଟିକେରାମ ବାଗ ନିଜ ଘର ଠାରୁ ପ୍ରାୟ ୧ କିମି ଦୂରରେ ଥିବା ନିଜ ୩ ଏକର ଜମିରେ ଧାନ ଚାଷ ଅମଳ କରି ନିଜ ଖଳା ରେ ଶୁଖାଇ ଥିଲେ ମଧ୍ୟ ରାତିରେ ଶୋଇଥିବା ବେଳେ ହଠାତ୍ ଏକ ବାରହା ପଲ ପଶି ଖଳାରେ ଶୁଖା ଯାଇଥିବା ଧାନକୁ ଖାଇବା ସହିତ ଚାରିଆଡ଼େ ଫିଙ୍ଗା ଫୋପଡା କରିଥିଲେ। ବରାହର ଉପସ୍ଥିତି ପାଇଁ ରାତିରେ ଟିକେରାମ ଙ୍କ ନିଦ ଭାଙ୍ଗିବାରୁ ସେ ହଠାତ୍ ଉଠିପଡିଥିଲେ । କିନ୍ତୁ ହାତରେ କେବଳ ଟର୍ଚ୍ଚଲାଇଟ୍ ଖଣ୍ଡେ ଥିବା ବେଳେ ଏକୁଟିଆ ସାହାସ ଜୁଟାଇ ନପାରି ବାରହା ଘଉଡାଇବାକୁ ଅସମର୍ଥ ହୋଇଥିଲେ । ନିଜ ସମ୍ପକିୟ ଙ୍କୁ ଫୋନ୍ କରି ଡାକିଥିଲେ ସୁଦ୍ଧା ବାରହା ଭୟରେ କେହି ପାଖକୁ ଯାଇନଥିଲେ । ସକାଳ ହେବାରୁ ଟିକେରାମ ଏନେଇ ଗଣମାଧ୍ୟମ କୁ ଜଣାଇବା ସହିତ ବନବିଭାଗର କର୍ମଚାରୀ ମାନଙ୍କୁ ଚାଷୀ ଜଣକ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ।ଫଳରେ ଏବେ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏବେ କାଣ୍ଡେଲ ଅଞ୍ଚଳରେ ବାରମ୍ବାର ଜଙ୍ଗଲି ବାରହା ଚାଷୀଙ୍କ ଧାନ ଚାଷ,ମକା ଚାଷ ନଷ୍ଟ କରୁଥିଲେ ସୁଦ୍ଧା ଏଥିପ୍ରତି କୈଣସି ଉଚିତ ପଦକ୍ଷେପ ନିଆଯାଉ ନାହିଁ ଏବଂ ଅନଲାଇନ ପୋର୍ଟାଲ ରେ ପଞ୍ଜିକରଣ କଲେ ମଧ୍ୟ ସହାୟତା ଯୋଗାଇ ଦିଆଯାଉ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ତେବେ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ତୂରନ୍ତ ଚାଷୀଙ୍କ ସହାୟତା ଯୋଗାଇ ଦିଆଯାଉ ବୋଲି ଅଞ୍ଚଳରେ ଦାବି ହୋଇଛି ।
