କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ : କୋକସରା ବ୍ଲକ ଆମପାଣି ଧାନ ମଣ୍ଡି ଠାରେ ବୁଧବାର ବିର୍ସା ଆମ୍ବେଦକର ଫୁଲେ ସଚେତନ ସଂଗଠନ ପକ୍ଷରୁ ୭୬ ତମ ସମ୍ବିଧାନ ଦିବସ ପାଳିତ ହୋଇଛି। ସଂଘର ରାଜ୍ୟ ସମ୍ପାଦକ ଦିସାନ୍ତ ବେଶ୍ରାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ବୁଦ୍ଧିଜୀବି, ସଚେତନ ନାଗରିକ, କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଏହି କ୍ରମରେ ମୂଳନିବାସୀ ବହୁଜନ ମିଳିତ ମହାସଂଘ ପକ୍ଷରୁ ଏକ ସମ୍ବିଧାନ ସଚେତନ ରଥ ଆମପାଣିଠାରେ ପହଞ୍ଚିଥିଲା। ବୁଢ଼ାରଜା ହାଇସ୍କୁଲ ଏବଂ ଏସଏସଡି ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ରହି ରଥକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ରଥଟି ଗ୍ରାମ ପରିକ୍ରମା କରି ଆମପାଣି ଧାନ ମଣ୍ଡି ସ୍ଥିତ ସଭାସ୍ଥଳକୁ ପହଞ୍ଚିଥିଲା। ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଗୋବର୍ଦ୍ଧନ ବାଗଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଏମବିଏମଏମର ରାଜ୍ୟ କାର୍ଯ୍ୟକାରୀ ସଭାପତି ଯତୀନ୍ଦ୍ର କର,ସମ୍ମାନିତ ଅତିଥି ଆଇନଯିବୀ ଦିଗାମ୍ବର ଦୁରିଆ, କିଶୋର ପଟେଲ, ପ୍ରିନ୍ସିପାଲ ଜୟ ପାଲ, ଶିକ୍ଷାବିତ୍ ସତ୍ୟବାନ୍ ପାଣଗ୍ରାହୀ, ରମଣୀ ଦୂରିଆ, ଏସ ସୁଜାତା, ସ୍ନେହଲତା ଦୁର୍ଗା, ବୈଦେହି ବେଣୁପାଣି, ଅଭିଜିତ କର, ପଙ୍କଜ ବାଗ ପ୍ରମୁଖ ମଞ୍ଚାସିନ ରହିଥିଲେ। ବକ୍ତା ମାନେ ସମ୍ବିଧାନ ନିର୍ମାଣ ଏବଂ ସମ୍ବିଧାନର କାର୍ଯ୍ୟକାରିତା ଉପରେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରି ନିଜ ହକ୍ ଅଧିକାର ପାଇଁ ସମସ୍ତେ ସଚେତନ ରହିବା ପାଇଁ ପରାମର୍ଶ ଦେଇଥିଲେ। ପୂର୍ବତନ ସରପଞ୍ଚ ଟିକିଚନ୍ଦ୍ର ଧ.ମାଝି, ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଣୁଆ, ୱାର୍ଡ଼ ସଭ୍ୟ ନୃପରାଜ୍ ନାଏକ, ହରି ରାଉତ, କେଶବ ବେଣୁପାଣି, ଦୟାନିଧି ନାଏକ, ଗଜିନ୍ଦ୍ର ନାଗ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
