ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଚିର୍କା, ଭେଜିଗୁଡା ଓ ତୁମରିଖୋଲରେ ପାଳିତ ହୋଇଛି ଆଦିବାସୀଙ୍କ ଅନନ୍ୟ ପର୍ବ ଟୋକିମରା ପର୍ବ।ଚିର୍କାରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଆଦିବାସୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନେକ ଗାଁରୁ ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ ନିଶାନ ବାଦ୍ୟ ନେଇ ନାଚିଡେଇଁ ରୀତିନୀତି ଅନୁଯାୟୀ ପର୍ବରେ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଛନ୍ତି। ଯାନୀ ଘରୁ ବିଧି ଅନୁସାରେ ବୋଦା ଧରଣୀ ଘରକୁ କଡା ସୁରକ୍ଷା ରେ ନେବା ପରେ ସେଠାରେ ମାଂସ ଚୋରି କରିଥିଲେ ଆଦିବାସୀ ମାନେ। ବୋଦା ବଳି ଦେବା ସହ ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ଆଦିବାସୀମାନେ ମାଂସ ନେଇ ନିଜ ନିଜ ଗାଁ କୁ ଫେରିଛନ୍ତି। ଏହାକୁ ନିଜ କ୍ଷେତ ଓ ଘରେ ପୋତିଳେ ଧରଣୀ ମାତା ତାଙ୍କୁ ଆଶ୍ରିବାଦ କରିଥାନ୍ତି ବୋଲି ତାଙ୍କର ଆସ୍ଥା ରହି ଆସିଛି। ଏହି ପର୍ବରେ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଜନ ସମାଗମ ହୋଇଥିବାବେଳେ ଲୋକେ ଏହି ପର୍ବରେ ସାମିଲ ହୋଇ ଖୁସି ମାନଇଛନ୍ତି। କଳାହାଣ୍ଡି ଓ ରାୟଗଡା ଜିଲ୍ଲାର କନ୍ଦ ଓ ପରଜା ସମ୍ପ୍ରଦାୟର ଲୋକେ ଧରିଣୀ ପେନୁ ବା ପୃଥିବୀ ଦେବୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ପର୍ବ କୁ ପାଳନ କରିଥାନ୍ତି। ତାଙ୍କର ବିଶ୍ୱାସ ଯେ ବଳି ଦେବା ଦ୍ୱାରା ଗାଁ ରୋଗ ମୁକ୍ତ ହେବା ସହ ବର୍ଷା, ଫସଲ ଭଲ ହୋଇ ସମାଜରେ ସମୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି। ପୂର୍ବରୁ ଏହି ପର୍ବ ରେ ଏକ କୁଆରୀ ଝିଅ କୁ ବଳି ଦିଆଯାଉଥିଲା। ଯାହାକୁ ମେରିଆ ବଳି ବୋଲି କଥା ରହିଛି।କିନ୍ତୁ ଧୀରେ ଧୀରେ ସମାଜରେ ଶିକ୍ଷା ଓ ସଚେତନତା ସୃଷ୍ଟି ହେବା ପରେ ତାହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଛି।କିନ୍ତୁ ବର୍ତ୍ତମାନ ମଧ୍ୟ ବୋଦା ବଳି ଉତ୍ସର୍ଗ ଚାଲି ଆସିଛି।

