ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ ଦାବି ଉଠିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ ହେଲେ ବୃନ୍ଦାବାହାଲ ସମେତ ଆଖପାଖର ଗଣ୍ଡାମେର, ଧାମନପୁର, ଚିଚିଆ ଓ ଖମାରହଳଦୀ ପଞ୍ଚାୟତର ଲୋକେ ଉପକୃତ ହୋଇପାରିବେ ବୋଲି ଦାବିକାରୀମାନେ ଆଶା ପ୍ରକାଶ କରିଛନ୍ତି। ଦାବିପତ୍ର ଅନୁଯାୟୀ, ଏହି ପାଞ୍ଚଟି ପଞ୍ଚାୟତର ଲୋକଙ୍କୁ ସାଧାରଣ ଚିକିତ୍ସାଠାରୁ ଆରମ୍ଭ କରି ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ଅନ୍ୟ ଅଞ୍ଚଳକୁ ଯିବାକୁ ପଡ଼ୁଛି। ଫରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରାୟ ୮ କିଲୋମିଟର, ଗୋଲାମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର ୧୦ କିଲୋମିଟର ଏବଂ ଧର୍ମଗଡ଼ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରାୟ ୧୫ କିଲୋମିଟର ଦୂରରେ ରହିଛି। ଫଳରେ ଦୁର୍ଘଟଣା, ଗୁରୁତର ଅସୁସ୍ଥତା ଓ ଅନ୍ୟାନ୍ୟ ଜରୁରୀ ପରିସ୍ଥିତିରେ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବାରେ ଅସୁବିଧା ହେଉଥିବା ସେମାନେ ଦର୍ଶାଇଛନ୍ତି। ବିଶେଷକରି ଆଦିବାସୀ ଓ ଆର୍ଥିକ ଅନଗ୍ରସର ପରିବାରଗୁଡ଼ିକ ଦୂରତା ଓ ଯାତାୟାତ ସମସ୍ୟା ଯୋଗୁଁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଥିବା ଦାବିକାରୀମାନେ କହିଛନ୍ତି। ତେଣୁ ଅଞ୍ଚଳର ଭୌଗୋଳିକ ସ୍ଥିତି, ଜନସାଧାରଣଙ୍କ ଆବଶ୍ୟକତା ଓ ଗମନାଗମନ ସୁବିଧାକୁ ବିଚାରକୁ ନେଇ ବିଜୁ ସଡ଼କ ପାର୍ଶ୍ୱରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ ହେଲେ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ସହଜରେ ମିଳିପାରିବ। ଏହା ସହ ଜରୁରୀ ସମୟରେ ରୋଗୀଙ୍କୁ ଶୀଘ୍ର ଚିକିତ୍ସା ଯୋଗାଇବାରେ ସହାୟକ ହେବ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ଦାବିପତ୍ର ପ୍ରଦାନ ସମୟରେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଶୀଙ୍କ ସମେତ ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଦିନେଶ କୁମାର ରାଉତ ଜିତେନ୍ଦ୍ର ନାଏକ, ରୁକ୍ଷ ଦେବ ରାଉତ, ଦିଲ୍ଲୀପ କୁମାର ରାଉତ, ପ୍ରହଲ୍ଲାଦ ରାଉତ ଓ ବରିଷ୍ଠ ବିଜେପି ନେତା ରୂପେଶ ଜେନ ପ୍ରମୁଖ ଏହି ଦାବି ଉପସ୍ଥାପନ କରିଛନ୍ତି। ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଦାବିଟିର ଯଥାର୍ଥତା ଅନୁଧ୍ୟାନ କରିବା ସହ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଦାବିକାରୀମାନେ ଆଶା ପ୍ରକାଶ କରିଛନ୍ତି।
