ବୀର ଯବାନ ସରୋଜ ଶବରଙ୍କୁ ଶ୍ରଦ୍ଧାଞ୍ଜଳି

କୋକସରା/କ୍ରାନ୍ତିକ୍ଷେତ୍ର : ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସର ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ଏବଂ ସମରାସ୍ତ୍ର ସମ୍ମାନ ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିକିଲି ଗ୍ରାମର ସ୍ବର୍ଗତ ସରୋଜ ନାଗାଲାଣ୍ଡ ଜୋନୋବୋଟୋ କ୍ୟାମ୍ପରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ସୂଚନାଯୋଗ୍ୟ ଯେ, ସେ ନିଜ ମା’ଙ୍କ ଶ୍ରାଦ୍ଧ ପାଇଁ ଛୁଟିରେ ଗାଁକୁ ଆସିଥିବା ଅବସରରେ ଗତ ଦୁଇ ଦିନ ପୂର୍ବେ ଏକ ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣାରେ ତାଙ୍କର ପ୍ରାଣହାନି ହୋଇଥିଲା। ଚିକିଲି ଗ୍ରାମରୁ ସେନା ବାହିନୀରେ ଯୋଗଦେଇଥିବା ପ୍ରଥମ ଯବାନ ଭାବେ ସେ ପରିଚିତ ଥିଲେ। ତାଙ୍କ ଜନ୍ମ ମାଟିରେ ଦିବଂଗତ ଯବାନଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ଗୋପାଳପୁର ସେନା କ୍ୟାମ୍ପରୁ ଏଏଡି ରେଜିମେଣ୍ଟର ୨୦ ଜଣିଆ ଯବାନ ଟିମ୍ ଚିକିଲିରେ ପହଞ୍ଚିଥିଲେ। ସେମାନେ ଯବାନଙ୍କ ବାସଭବନରେ ପାର୍ଥିବ ଶରୀରକୁ ଜାତୀୟ ପତାକାରେ ଆଚ୍ଛାଦିତ କରିବା ସହ ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଥିଲେ। ସେନା ବାହିନୀର ରେଜିମେଣ୍ଟ ମେଜର ଓ ସୁବେଦାରଙ୍କ ନେତୃତ୍ୱରେ ଯବାନଙ୍କ ବୀରତ୍ୱ ଓ ଦେଶସେବାକୁ ସମ୍ମାନ ଜଣାଇ ତୋପ ସଲାମୀ ଦିଆଯାଇଥିଲା। ଏହି ଦୁଃଖଦ ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଭର୍ଷିତା ଆଡେପୁ, କୋକସରା ଥାନା ଅଧିକାରୀ ଡମ୍ବରୁଧର ଭତରିଆ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହାସହ ସ୍ଥାନୀୟ ସରପଞ୍ଚ ସମେତ ଅଞ୍ଚଳର ଶହ ଶହ ଜନସାଧାରଣ ଓ ଅବସରପ୍ରାପ୍ତ ସିପାହୀମାନେ ଯୋଗଦେଇ ଅଶ୍ରୁଳ ବିଦାୟ ଜଣାଇଥିଲେ। ପରେ ଏକ ବିରାଟ ଶୋଭାଯାତ୍ରାରେ ମୃତ ଯବାନଙ୍କ ପାର୍ଥିବ ଶରୀରକୁ ଗ୍ରାମ ନିକଟସ୍ଥ ନଦୀ ମଶାଣିକୁ ନିଆଯାଇ ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ କୃତ୍ୟ ସମ୍ପନ୍ନ କରାଯାଇଛି।