ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ନିକଟସ୍ଥ ଭଣ୍ଡାରଡଙ୍ଗରୀ ଜଙ୍ଗଲରୁ ଜଣେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିବା ସହ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପ୍ରାଥମିକ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) ରିପୋର୍ଟ ଅନୁଯାୟୀ ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡିଛି। ଡାକ୍ତରଙ୍କ ପ୍ରାଥମିକ ରିପୋର୍ଟ ଅନୁଯାୟୀ ମୃତଦେହରେ ମୃତ୍ୟୁ ପୂର୍ବର କୌଣସି ଆଘାତ ଲାଗିନାହିଁ କିମ୍ବା ଅପରାଧିକ ଷଡ଼ଯନ୍ତ୍ରର ପ୍ରମାଣ ମିଳିନାହିଁ। ଯୁବତୀଙ୍କ ବାମ ହାତ ଓ ଯୁବକଙ୍କ ଡାହାଣ ହାତ ଏକାଠି ବନ୍ଧା ହୋଇଥିଲା। ଘଟଣାସ୍ଥଳରୁ ସିନ୍ଦୂର ମିଳିଥିବାବେଳେ ପ୍ରଥମେ ଏହାକୁ ରକ୍ତ ବୋଲି ସନ୍ଦେହ କରାଯାଉଥିଲା। ଶବରେ ଏସିଡ୍ ପକାଯାଇଥିବା ଏବଂ ଦୁଷ୍କର୍ମ ବା ଯୌନ ନିର୍ଯାତନାର ପ୍ରମାଣ ଥିବା ସନ୍ଦେହକୁ ଏସପି ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ମୃତଦେହ ଝୁଲୁଥିବା ସ୍ଥାନର ଉଚ୍ଚତା ପ୍ରାୟ ୯ ଫୁଟ୍ ଥିବାରୁ କାହାକୁ ହତ୍ୟା କରି ଉପରକୁ ନେଇ ଝୁଲାଇ ଦେବା ସମ୍ଭବପର ନୁହେଁ ବୋଲି ପୋଲିସ ଦର୍ଶାଇଛି। ପରିବାରବର୍ଗ ଆଣିଥିବା ବିଭିନ୍ନ ସନ୍ଦେହ ଓ ଅଭିଯୋଗକୁ ଆଧାର କରି ବର୍ତ୍ତମାନ ପୋଲିସର ଅଧିକ ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ ଯେ ଗତକାଲି ଧର୍ମଗଡ଼ ଓ କୋକସରା ଥାନା ପୋଲିସ ଟିମ୍ ସହିତ ସାଇଣ୍ଟିଫିକ୍ ଏବଂ ଫରେନ୍ସିକ୍ ଟିମ୍ ଜଣେ ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହଗୁଡ଼ିକୁ ଉଦ୍ଧାର କରିଥିଲେ। ଏହି ଘଟଣାକୁ ନେଇ ଅଞ୍ଚଳରେ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।
