କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କ ବାର୍ଷିକ ଦଶରା ମହୋତ୍ସବ ଆସନ୍ତା ୩୧ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପବିତ୍ର ଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଶୁକ୍ରବାର ଆମପାଣିସ୍ଥିତ ବୁଢ଼ାରଜା ମନ୍ଦିର ପରିସରରେ ଏକ ଚୁଡ଼ାନ୍ତ ପ୍ରଶାସନିକ ଓ ପୂଜା କମିଟି ବୈଠକ ଅନୁଷ୍ଠିତ ହୋଇଛି। କମିଟିର ସଭାପତି ରୁତୁରାଜ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋକସରା ବିଡିଓ ଡ଼ଃ ହିମାଞ୍ଚଳ ମାଝୀ, ତହସିଲଦାର ଚୌଡଗଙ୍ଗ ପ୍ରଧାନ, ଆମପାଣି ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ତାଣ୍ଡି, କୋକସରା ଅଗ୍ନିଶମ ବିଭାଗର ଓଆଇସି ପ୍ରସାନ୍ତ ବାଘ ଏବଂ ଆମପାଣି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଧନେଶ୍ୱର ଟୁଡୁ ପ୍ରମୁଖ ଯୋଗଦେଇଥିଲେ। ଚଳିତ ବର୍ଷ ଯାତ୍ରାକୁ କିପରି ପଲିଥିନ ମୁକ୍ତ କରାଯିବ ଏବଂ ଭକ୍ତମାନଙ୍କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସେହିପରି ଶ୍ରଦ୍ଧାଳୁମାନଙ୍କର ସୁବିଧା ପାଇଁ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଜିର ଏହି ବୈଠକରେ ବୁଢ଼ାରଜା ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ ମାଝୀ, ଜିତେନ୍ଦ୍ର ପଣ୍ଡା, ପୂଜକ ଫକୀର ମୋହନ ପୁଝାରୀ, ବିଘ୍ନେଶ୍ୱର ନାଏକ, ଗଙ୍ଗାଧର ନାଏକ, ସରପଞ୍ଚ ଋକ୍ମଣୀ ବାଣୁଆ, ସୁରେଶ କୁମାର ସାହୁ, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ପ୍ରସାନ୍ତ ମୁନି, ତ୍ରିନାଥ ପ୍ରଶ୍ନ ରାୟ, ଦୟାନିଧି ନାଏକ, ବି. ଭାସ୍କର ରାଓ, ରାଜୁ ପଟେଲ, ବସନ୍ତ ବେଣୁପାଣିଙ୍କ ସମେତ କମିଟିର ବହୁ କର୍ମକର୍ତ୍ତା ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
