ରାବଣ ପୋଡ଼ି ସହ ସମ୍ପନ୍ନ ହେଲା ଲାଞ୍ଜିଗଡ଼ ସାର୍ବଜନୀନ ଦୁର୍ଗାପୂଜା

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ଲାଞ୍ଜିଗଡ଼ ବ୍ଲକ ଶିଳ୍ପାଞ୍ଚଳ ଲାଞ୍ଜିଗଡ଼ ଠାରେ ସାର୍ବଜନୀନ ଦୁର୍ଗାପୂଜା ମହା ଆଡ଼ମ୍ବରରେ ରାବଣ ପୋଡ଼ି ସହ ସମ୍ପନ୍ନ ହୋଇଯାଇଛି। ଏ ବର୍ଷ ଲାଞ୍ଜିଗଡ଼ ଦୁର୍ଗାପୂଜା ୬୧ ବର୍ଷରେ ପଦାର୍ପଣ କରିଥିବା ବେଳେ ଏକ ଗୌରବମୟ ଅତୀତକୁ ମନେ ପକାଇବା ସହ ନୂତନ ପ୍ରକାର ସାଜସଜ୍ଜାରେ ସଜେଇ ଏହି ପୂଜାକୁ ଆକର୍ଷଣୀୟ ଓ ଉତ୍ସବମୁଖର କରିବା ପାଇଁ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲେ। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନାଟକ ସହିତ ୪ ଦିନ ଧରି ମେଲୋଡି ପରିବେଷଣ ଓ ଦୋକାନ ବଜାର ଆଦି ଯୋଜନା ଓ ଶେଷ ଦିବସରେ ରାବଣ ପୋଢ଼ି ବ୍ୟବସ୍ଥା ରହିଥିବା ବେଳେ ଭକ୍ତ, ଶ୍ରଦ୍ଧାଳୁ ଓ କଳାପ୍ରେମୀ ଜନସାଧାରଣଙ୍କୁ ଅଭିଭୂତ କରି ପୂଜାଛୁଟିର ଉପଭୋଗ ମାତ୍ରାକୁ ଦ୍ୱିଗୁଣିତ କରିଦେଇଥିଲା। ଶୁକ୍ରବାର ଠାରୁ ଦେବୀ ଦୁର୍ଗାଙ୍କ ଷଷ୍ଠୀ ପୂଜା ଆରମ୍ଭ ହୋଇଥିବା ବେଳେ ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ଏଥର ଆକର୍ଷଣୀୟ ମୂର୍ତ୍ତି ସହିତ ମେଢ଼ ଓ ମଣ୍ଡପ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ପାଞ୍ଚ ଦିନ ଧରି ଚାଲିଥିବା ଏହି ପୂଜାରେ କର୍ତ୍ତା ଭାବେ ପିତାମ୍ବର ଡ଼ମ୍ବିଶି ଓ ତାଙ୍କ ଧର୍ମପତ୍ନୀ ଦେବକୀ ଡ଼ମ୍ବିଶି ରହିଥିବା ବେଳେ ମୁଖ୍ୟ ପୂଜକ ଭାବେ ଡ଼. ରୋହିତ କୁମାର ଆଚାର୍ଯ୍ୟ ରହିଥିବା ବେଳେ ତାଙ୍କ ସହିତ ଡ଼. ମୋହନ ପୁରୋହିତ, ଅଭିଷେକ ଦେବତା, ଦେବାଶିଷ ଦେବତା, ସୁରେନ୍ଦ୍ର ମିଶ୍ର, ପ୍ରବିନ ତ୍ରିପାଠୀ ଓ ସତ୍ୟବ୍ରତ ପଣ୍ଡା ରହିଛନ୍ତି। ପୂଜା ମଣ୍ଡପରେ ଦୀନବନ୍ଧୁ ବାରିକ, ଲିଙ୍ଗରାଜ ବାରିକ, ମନରଞ୍ଜନ ବାରିକ, ସନ୍ତୋଷ ମହାଖୁଡ଼, କମଳାକାନ୍ତ ମହାଖୁଡ଼ ସହଯୋଗ କରୁଛନ୍ତି। ଲାଞ୍ଜିଗଡ଼ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହୋଇଥିବା ଦୁର୍ଗା ପୂଜା ଏବଂ ରାବଣ ପୋଡ଼ି ଲାଞ୍ଜିଗଡ଼ ଯୁବକ ସଂଘର ତତ୍ୱାବଧାନରେ ହୋଇଥିବା ବେଳେ ରାମ, ଲକ୍ଷ୍ମଣ ଓ ବାନରସେନା ସମସ୍ତେ ସହର ପରିକ୍ରମା କରିଥିଲେ। ଲାଞ୍ଜିଗଡ଼ ଯୁବକ ସଂଘ ସଭାପତି ହିମାଦ୍ରୀ ପେଶନିଆଙ୍କ ତତ୍ୱାବଧାନରେ ଆୟୋଜିତ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଏମ୍. ଚନ୍ଦ୍ରଶେଖର, ଉପସଭାପତି ଜୟନ୍ତ ମହାଖୁଡ଼, ସାଧାରଣ ସମ୍ପାଦକ କିଶୋର ପେସନିଆ, ସହ ସମ୍ପାଦକ କାର୍ତ୍ତିକ ଓଡ଼ିଆ, କୋଷାଧ୍ୟକ୍ଷ ସୁମନ୍ତ ଦଳବେହେରା, ସହ କୋଷାଧ୍ୟକ୍ଷ ରାଘବ ଗହୀର ରହିଥିଲେ। ସେହିପରି ଆୟୋଜକ କମିଟି ପକ୍ଷରୁ ଲାଞ୍ଜିଗଡ଼ ଯୁବକ ସଂଘ ସଭାପତି ହିମାଦ୍ରୀ ପେଶନିଆ, ସଂଘ ସମ୍ପାଦକ ଭୁପେନ୍ଦ୍ର ମହାରଥା, ସଞ୍ଜୀବ ପେଶନିଆ, ସତ୍ୟନାରାୟଣ ନାଏକ ସମେତ ସମସ୍ତ ସଦସ୍ୟ, ଲାଞ୍ଜିଗଡ଼ ଡ୍ରାଇଭର ମହାସଂଘର କର୍ମକର୍ତ୍ତା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଲାଞ୍ଜିଗଡ଼ ଥାନା ଅଧିକାରୀ ଯଶୋବନ୍ତ ହିଆଲଙ୍କ ତତ୍ୱାବଧାନରେ ଏଏସଆଇ ବଳଭଦ୍ର ଗୌଡ଼, ଏଏସଆଇ ସ୍ୱର୍ଣ୍ଣଲତା ଗମାଙ୍ଗ ସମେତ ଆଇଆରବି ପୁଲିସ ଓ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗ ଓ ବେଦାନ୍ତ ଅଗ୍ନିଶମ ବିଭାଗର ଭବାନୀ ଶଙ୍କର ନନ୍ଦ ଉପସ୍ଥିତ ରହି ରାବଣ ପୋଡ଼ିରେ ବାଣ ଫୁଟୁଥିବା ସମୟରେ କୌଣସି ଦୁର୍ଘଟଣା ନ ଘଟିବା ପାଇଁ ସତର୍କତା ଅବଲମ୍ବନ କରି ପରିଚାଳନା କରୁଥିଲେ। ଏହି ଶେଷ ଦିନର ରାବଣ ପୋଡ଼ି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଚଳିତ ବର୍ଷ ମା’ଙ୍କ ପୂଜା କାର୍ଯ୍ୟ ଶାନ୍ତି ଶୃଙ୍ଖଳା ସହ ହୋଇଥିବା ବେଳେ ଆଜି ଗୁରୁବାର ସନ୍ଧ୍ୟାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଲାଞ୍ଜିଗଡ଼ ସହର ବିଭିନ୍ନ ପଡ଼ା ପରିକ୍ରମା କରି ମା’ଙ୍କୁ ବିସର୍ଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *