କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଅଣଜଳସେଚିତ ଓ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ଭାବେ ପରିଗଣିତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ଚାଷୀଙ୍କ କ୍ଷେତରେ ଏବେ ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି। ଠିକ୍ ଧାନ କେଣ୍ଡା ବାହାରିବା ସମୟରେ ହଠାତ୍ ବର୍ଷା ଉଭାନ ହୋଇଯିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। କ୍ଷେତରେ ପାଣି ଅଭାବ ଏବଂ ପ୍ରଖର ଖରା ଯୋଗୁଁ ଧାନଗୁଡ଼ିକ ଝାଉଁଳି ଯିବାରେ ଲାଗିଛି। ଏହି ଅଞ୍ଚଳର ଚାଷୀମାନେ ବ୍ୟାଙ୍କ୍, ସମବାୟ ସମିତି ଏବଂ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ଆଣି ଚାଷ କରିଛନ୍ତି। କିନ୍ତୁ ବର୍ତ୍ତମାନର ସ୍ଥିତିରେ ବର୍ଷକର ସଫଳ ଅମଳ ନେଇ ସେମାନେ ଗଭୀର ଚିନ୍ତାରେ ଅଛନ୍ତି। କେତେକ ଚାଷୀ ନଦୀ, ନାଳ ଓ ପୋଖରୀରୁ ମଟର ପାଇପ୍ ଯୋଗେ ପାଣି ମଢ଼ାଇ ଚାଷ ବଞ୍ଚାଇବାକୁ ଅକ୍ଳାନ୍ତ ପରିଶ୍ରମ ଜାରି ରଖିଥିବା ବେଳେ ସମସ୍ତେ ଏବେ ଆଗକୁ ଥିବା ଲଘୁଚାପ ଜନିତ ବର୍ଷାକୁ ଅପେକ୍ଷା କରି ରହିଛନ୍ତି। ସବୁଠାରୁ ବଡ଼ ଦୁର୍ଭାଗ୍ୟର ବିଷୟ ହେଲା, ଓଡ଼ିଶା ଲିଫ୍ଟ ଇରିଗେସନ୍ କର୍ପୋରେସନ୍ (ଓଏଲ୍ଆଇସି) ପକ୍ଷରୁ ଚାଷୀଙ୍କ ଜମିରେ ଖୋଲାଯାଇଥିବା ଗଭୀର ନଳକୂପ (ଡିପ୍ ବୋରୱେଲ)ଗୁଡ଼ିକ କାମରେ ଆସୁନାହିଁ। ଦୀର୍ଘଦିନ ଧରି ଏହି ପ୍ରକଳ୍ପଗୁଡ଼ିକରେ ବିଦ୍ୟୁତ୍ ସଂଯୋଗ କିମ୍ବା ସୋଲାର ପ୍ୟାନେଲ୍ ଲାଗି ନଥିବାରୁ ଚାଷୀଙ୍କ ଶେଷ ଭରସା ମଧ୍ୟ ଭାଙ୍ଗିଯାଇଛି। ଅନ୍ୟପଟେ ଚାଷୀ କୌଣସି ବିକଳ୍ପ ନପାଇ କେତେକ ଚାଷୀ ଧାନ କେଣ୍ଡା କୁ ବଞ୍ଚିବା ପାଇଁ ବୋରୱେଲରେ ପେଟ୍ରୋଲ ପମ୍ପ ଲଗାଇ ପାଣି ମଢାଉ ଥିବା ଭଲି ବିକଳ ଚିତ୍ର ସାମ୍ନା କୁ ଆସିଛି। ଠିକା କମ୍ପାନୀର ଏପରି ଅବହେଳା କାରଣରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେବାରେ ଲାଗିଛନ୍ତି। ପ୍ରକାଶ ଯେ’ ପ୍ରତି ୩-୪ ବର୍ଷରେ ଏହି ଅଞ୍ଚଳବାସୀ ମରୁଡ଼ିର ସମ୍ମୁଖୀନ ହୋଇ କ୍ଷତି ସହିଆସୁଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଭଲ ବର୍ଷା ହୋଇଥିଲେ ହେଁ ରୋଗପୋକ ଓ ବନ୍ୟା ପାଣି ଯୋଗୁଁ ଫସଲ ନଷ୍ଟ ହେଇଥିବା ବେଳେ ଏବେ ପାଣି ଅଭାବ କାରଣରୁ ଚାଷ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ପ୍ରଶାସନ ଓ ଓଏଲ୍ଆଇସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଅଧାପନ୍ତରିଆ ପଡ଼ିଥିବା ଗଭୀର ନଳକୂପଗୁଡ଼ିକରେ ବିଦ୍ୟୁତ୍ ସଂଯୋଗ କିମ୍ବା ସୋଲାର ପ୍ୟାନେଲ୍ ଲଗାଯାଉ। ନଚେତ୍ ଅଞ୍ଚଳର ହଜାର ହଜାର ଚାଷୀ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବା ସୁନିଶ୍ଚିତ ବୋଲି ବରିଷ୍ଠ ଚାଷୀମାନେ ଚେତାବନୀ ଦେବା ସହ ଦୃଢ଼ ଦାବି କରିଛନ୍ତି।
