କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଠାରେ ଚଳିତ ବର୍ଷ ଶାରଦୀୟ ଦୁର୍ଗା ପୂଜା ତଥା ପବିତ୍ର ନବରାତ୍ର ବେଶ୍ ଆଧ୍ୟାତ୍ମିକ ଓ ଉତ୍ସାହଜନକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। ମା’ ଜଗତଜନନୀ ଦୁର୍ଗାଙ୍କ ଏହି ମହୋତ୍ସବରେ ପ୍ରତ୍ୟେକ ଦିନ ସନ୍ଧ୍ୟା ଆଳତି ସମୟରେ ମା’ଙ୍କ ଦର୍ଶନ ତଥା କୃପା ଲାଭ ପାଇଁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳୁଛି। ପବିତ୍ର ନବରାତ୍ରର ସପ୍ତମ ଦିବସରେ ଜଗତମାତା ଦୁର୍ଗା ମା’ କାଳରାତ୍ରୀ ରୂପେ ପୂଜାର୍ଚ୍ଚନା ପାଉଛନ୍ତି। ମା’ଙ୍କ ଏହି ଭବ୍ୟ ତଥା ଦିବ୍ୟ ସ୍ୱରୂପ ଦର୍ଶନ ସହ ଆଶୀର୍ବାଦ ଭିକ୍ଷା କରିବା ପାଇଁ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ପୂଜା ମଣ୍ଡପରେ ଜମୁଛି, ଚଣ୍ଡୀପାଠ ଓ ମନ୍ତ୍ରୋଚ୍ଚାରଣରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି। ଏହି ନବରାତ୍ର ମହୋତ୍ସବରେ ପରମ୍ପରା ଓ ନୀତିକାନ୍ତି ଅନୁସାରେ ୯ ଦିନ ଧରି ୯ ଜଣ କର୍ତ୍ତା ପୂଜାର୍ଚ୍ଚନାରେ ବସି ପୂଜା ସମ୍ପାଦନ କରୁଛନ୍ତି । ପ୍ରଥମ ଦିନ ଭବାନୀ ପଣ୍ଡା ଓ ତାଙ୍କ ସହଧର୍ମିଣୀ । ଦ୍ୱିତୀୟ ଦିନ ସୁଶୀଲ ଜୈନ ଓ ସହଧର୍ମିଣୀ। ତୃତୀୟ ଦିନ ଚନ୍ଦନ କୁମାର ପଣ୍ଡା ଓ ସହଧର୍ମିଣୀ । ଚତୁର୍ଥ ଦିନ ଦୁର୍ଗା ପ୍ରସାଦ ପାତ୍ର ଓ ସହଧର୍ମିଣୀ । ପଞ୍ଚମ ଦିନ ଦେବରାଜ ଜୈନ ଓ ସହଧର୍ମିଣୀ। ଷଷ୍ଠ ଦିନ ସୁବାସ ହଂସ ଓ ସହଧର୍ମିଣୀ ସପ୍ତମ ଦିନ ସଂଗ୍ରାମ ବେହେରା ଓ ସହଧର୍ମିଣୀ। ଅଷ୍ଟମ ଦିମ ଭବାନୀ ବେହେରା ଓ ସହଧର୍ମିଣି ନବମ ଦିନ ସୁଧୀର ବେହେରା ଓ ସହଧର୍ମିଣୀ ପ୍ରମୁଖ ପୂଜାର ସମସ୍ତ କାର୍ଯ୍ୟ ନୀତିକାନ୍ତି ଭାବରେ ନିର୍ବାହ କରୁଥିବା ବେଳେ ମା ‘ ଜଗତଜନନୀ ମା ‘ ଦୁର୍ଗାଙ୍କ ପୂଜା କାର୍ଯ୍ୟରେ ନିୟୋଜିତ ମୁଖ୍ୟ ପୂଜକ ଫକୀର ମୋହନ ପାତ୍ରଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହେଉଥିବା ବେଳେ ଭୁବନେଶ କୁମାର ପାଢ଼ୀଙ୍କ ଦ୍ୱାରା ନିଷ୍ଠାର ସହ ଚଣ୍ଡୀପାଠ କରାଯାଉଛି। ପୂଜା କାର୍ଯ୍ୟରେ ପ୍ରଦୀପ କୁମାର ଠାକୁର, ଅକ୍ଷୟ କୁମାର ଠାକୁର, ଆର୍ତ୍ତତ୍ରାଣ ଯୋଶୀ ଏବଂ ପ୍ରଶାନ୍ତ କୁମାର ପଣ୍ଡା ସହଯୋଗ କରୁଛନ୍ତି। ମା’ଙ୍କ ଭୋଗ ଓ ଅନ୍ନ ପ୍ରସାଦ ପ୍ରସ୍ତୁତି ଦାୟିତ୍ୱରେ ସୂପକାର ପଙ୍କଜ ଶର୍ମା, ରାଜିନ ପ୍ରଧାନ, ଦଂଶନ ଗୁପ୍ତା ଓ ମୋହିତ ଶର୍ମା ନିୟୋଜିତ ରହିଛନ୍ତି। ଶ୍ରଦ୍ଧାଳୁ ତଥା ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ପାରମ୍ପରିକ ଘୁମୁରା ନୃତ୍ୟ, ନାଟକ ଓ ମେଲୋଡି ଆଦି ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି, ଯାହାକୁ ହଜାର ହଜାର ଦର୍ଶକ ଉପଭୋଗ କରୁଛନ୍ତି। ପୂଜା କମିଟି ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ଆଗେଇ ଚାଲିଛି।
