ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟସ୍ଥ ଓସ୍ୱାନ୍ ହଲ୍ ଠାରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ‘ବିକଶିତ ଭାରତ ୟୁବ ନେତୃତ୍ୱ ସଂବାଦ ଏବଂ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ-୨୦୨୭ର ସଫଳ ଆୟୋଜନ ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ୍ରମେ ଯୁବବର୍ଗଙ୍କ ସାଂସ୍କୃତିକ ପ୍ରତିଭାର ବିକାଶ ଓ ଭାରତର ବିବିଧ ପରମ୍ପରାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ମହୋତ୍ସବର ଆୟୋଜନ କରାଯାଉଛି। ଜିଲ୍ଲାର ସମସ୍ତ ୧୩ଟି ବ୍ଲକ୍ ଏବଂ ୪ଟି ପୌରାଞ୍ଚଳ (ଭବାନୀପାଟଣା ପୌରପାଳିକା, କେସିଙ୍ଗା, ଜୁନାଗଡ଼ ଓ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ) ରେ ବ୍ଲକ୍/ପୌର ସ୍ତରୀୟ ଚୟନ ପ୍ରକ୍ରିୟା ଶେଷ କରାଯିବ। ଏହି ସ୍ତରରୁ ମନୋନୀତ ବିଜେତାମାନଙ୍କ ତାଲିକା ଆସନ୍ତା ଅକ୍ଟୋବର ୩୧ ସୁଦ୍ଧା ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ନିକଟରେ ଦାଖଲ କରାଯିବ। ଏହାପରେ ଆସନ୍ତା ନଭେମ୍ବର ୩ ଓ ୪ ତାରିଖରେ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ଅନୁଷ୍ଠିତ ହେବ। ୧୭.୦୮.୨୦୨୬ ସୁଦ୍ଧା ୧୫ ରୁ ୨୯ ବର୍ଷ ବୟସର ସ୍କୁଲ, କଲେଜ, ଗ୍ରାମୀଣ ଯୁବ କ୍ଲବ, ମୋ ଭାରତ ସ୍ୱେଚ୍ଛାସେବୀ ଓ ଏନ୍ଏସ୍ଏସ୍ ର ଯୁବକ/ଯୁବତୀମାନେ ଓ ଅନ୍ୟାନ୍ୟ ଯୋଗ୍ୟ ଯୁବ ଗୋଷ୍ଠୀ ଭାଗ ନେଇପାରିବେ। ସମସ୍ତ ପ୍ରତିଯୋଗୀଙ୍କ ପାଇଁ ମାଇଁ ଭାରତ ପୋର୍ଟାଲରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ଚଳିତ ବର୍ଷର ପ୍ରତିଯୋଗିତାର ମୁଖ୍ୟ ବିଷୟବସ୍ତୁ ରହିଛି “ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ। ଏହି କାର୍ଯ୍ୟକ୍ରମରେ ଲୋକନୃତ୍ୟ, ଲୋକଗୀତ, ପଥପ୍ରାନ୍ତ ନାଟକ (ନୁକ୍କଡ଼ ନାଟକ), ଚିତ୍ରାଙ୍କନ ଏବଂ କବିତା ଲିଖନ (ଓଡ଼ିଆ, ହିନ୍ଦୀ, ଇଂରାଜୀ) ଭଳି ବିଭିନ୍ନ ବିଭାଗରେ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ବ୍ଲକ୍ ଓ ପୌରାଞ୍ଚଳ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନକାରୀମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିବେ। ଜିଲ୍ଲା ସ୍ତରୀୟ ଲୋକଗୀତ, ଲୋକନୃତ୍ୟ ଓ ନୁକ୍କଡ଼ ନାଟକ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜୟୀଦଳ ମାନଙ୍କୁ ଯଥାକ୍ରମେ ୧୦୦୦୦, ୭୫୦୦ ଓ ୫୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ସେହିପରି ଚିତ୍ରାଙ୍କନ ଓ କବିତା ଲିଖନ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗିମାନଙ୍କୁ ଯଥାକ୍ରମେ ୩୦୦୦, ୨୦୦୦ ଓ ୧୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଏହି ବୈଠକରେ ଆଭାସୀ ମାଧ୍ୟମରେ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଓସ୍ଵାନ୍ ହଲ୍ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା କ୍ରୀଡ଼ା ଅଧିକାରୀ ସନାତନ ମହାରଣା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ଡେପୁଟୀ ରେଜିଷ୍ଟ୍ରାର,ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଜୟଦେବ ସାହୁ, ସହକାରୀ ଜିଲ୍ଲାପାଳ ପ୍ରିୟ ରଞ୍ଜନ ସେଠ, ଡିଡବ୍ଲୁ ଓ ଜାନକୀ ବଲ୍ଲବ ସାମନ୍ତରାୟ, ଡିପିଇଓ ରୁପ ସିଂ ରାଉତ,ଏଡିଇଓ ତପିମଣି ଜାନୀ, ମାଇ ଭାରତ ରୁ ଦୂତୀଆ ବନଛୋର ଏବଂ ଶାଶ୍ୱତ ରଞ୍ଜନ ଠାକୁର ଓ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
