ଜିଲ୍ଲା ସ୍ତରୀୟ ସ୍ଵତନ୍ତ୍ର ଟାସ୍କ ଫୋର୍ସ କମିଟି ବୈଠକ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୋମ୍ୟ ରଞ୍ଜନ  ପାତ୍ର) : ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ, କଳାହାଣ୍ଡି ପକ୍ଷରୁ ୪୪ ଦିନିଆ “ଶିଶୁ ଶ୍ରମ ମୁକ୍ତ ପଞ୍ଚାୟତ ସ୍ୱତନ୍ତ୍ର ଅଭିଯାନ” ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଶିଶୁ ଓ କିଶୋର ଶ୍ରମ ନିଷେଧ ଓ ନିୟନ୍ତ୍ରଣ ସଚେତନତା ତଥା ଜିଲ୍ଲା ସ୍ତରୀୟ ସ୍ୱତନ୍ତ୍ର ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କଳାହାଣ୍ଡିଠାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସୁଶାନ୍ତ ସିଂ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ପରିମିତା ମିଶ୍ର, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ମୁକ୍ତି କୁମାର କୁଲ୍ଲୁ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟରୁ ଜଳେଶ୍ବର ମେହେର, ଶିଶୁ କଲ୍ୟାଣ ସମିତି, ଅଧ୍ୟକ୍ଷା ସ୍ଵର୍ଣ୍ଣଲତା ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟରୁ ନିବାଶ ଚନ୍ଦ୍ର ସାହୁ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲଷ୍ମୀ ନାୟକ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ଅଧିକାରୀ ବୃନ୍ଦ, ସ୍ୱାସ୍ଥ ବିଭାଗ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା, ବଣିକ ସଂଘ, ହୋଟେଲ ମାଲିକ ସଂଘ, ସାମାଜିକ ସୁରକ୍ଷା କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ରଶ୍ମିତା ନାୟକ ସ୍ୱାଗତ ଭାଷଣ ଦେବା ପରେ ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ) ସୌମ୍ୟ ରଞ୍ଜନ କର ସଭା ପରିଚାଳନା କରିବା ସହ ସମସ୍ତ ବିଭାଗ ମଧ୍ୟରେ ସମନନ୍ଵୟ ରକ୍ଷା କରାଯାଇ କିଭଳି ପ୍ରତେକ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମ ମୁକ୍ତ କରାଯିବ ସେ ସମ୍ପର୍କରେ ସାରକରଙ୍କ ପକ୍ଷରୁ ଜାରି କରାଯାଇଥିବା ଏସ.ଓ.ପି ଉପରେ ବିଶଦ ଆଲୋଚନା କରିଥିଲେ। ବୈଠକରେ ଗ୍ରାମ ପଞ୍ଚାୟତ ଗୁଡିକୁ ଶିଶୁ ଶ୍ରମିକ ମୁକ୍ତ କରିବା ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା ହୋଇଥିଲା। ୧୪ ବର୍ଷରୁ କମ୍ ଶିଶୁମାନଙ୍କୁ କୌଣସି ବି ଦୋକାନ, ହୋଟେଲ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନରେ ନିୟୋଜିତ ନ କରିବା ଏବଂ (୧୪ ବର୍ଷ ରୁ ଉର୍ଦ୍ଧ ୧୮ ବର୍ଷ ରୁ କମ) କିଶୋରମାନଙ୍କୁ ବିପଦସଙ୍କୁଳ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରତିକୂଳ ପରିସ୍ଥିତିରେ ଥିବା ଶିଶୁ ଓ କିଶୋରମାନଙ୍କୁ ଚିହ୍ନଟ କରି ସେମାନଙ୍କର ଉଦ୍ଧାର, ପୁନର୍ବାସ ଏବଂ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା। ଏହା ସହିତ ପ୍ରତ୍ୟେକ ଶିଶୁଙ୍କ ଶିକ୍ଷାର ଅଧିକାର ସୁନିଶ୍ଚିତ କରିବା, ସେମାନଙ୍କର ସର୍ବାଙ୍ଗୀନ ବିକାଶ, ଦକ୍ଷତା ବୃଦ୍ଧି ଏବଂ ସୁରକ୍ଷିତ ତଥା ସମ୍ମାନଜନକ ଭବିଷ୍ୟତ ଗଠନ ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ଓ ସମୁଦାୟର ସକ୍ରିୟ ସହଭାଗିତା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା। ଏହି ସଭାରେ ଶ୍ରମ ବିଭାଗର ସମସ୍ତ ସହଶ୍ରମ ଅଧିକାରୀମାନେ ଉପସ୍ଥିତ ରହିଥିଲେ ଓ ପରିଶେଷରେ ଜିତମ ମାଝୀ, ସହଶ୍ରମ ଅଧିକାରୀ, ଭବାନୀପାଟଣା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *