କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନ କାଉଡୋଲା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ମେଳା ବାଞ୍ଜିବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଧବାର ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଉଦ୍ଘାଟନୀ ସଭାରେ କାଉଡୋଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଏଥିରେ ଏବିଇଓ ଶ୍ରିମନ୍ତ ଧରୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଶିକ୍ଷକ ଶେଖର ଚନ୍ଦ୍ର ସାହୁ ମୁଖ୍ୟବକ୍ତା, ଅବସରପ୍ରାପ୍ତ ଶିକ୍ଷକ ପଦ୍ମଲୋଚନ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ ଓ ଲକ୍ଷ୍ୟ ସାଧନ ପାଇଁ ଅତିଥି ମାନେ ପ୍ରେରଣା ଦେଇଥିଲେ। ଏବଂ ପିଲାମାନଙ୍କ ମଧ୍ୟରେ ଶୃଙ୍ଖଳା, ନୈତିକତା ଏବଂ ସୃଜନଶୀଳତାର ବିକାଶ ଉପରେ ଆଲୋକପାତ କରିଥିଲେ। ସେହିପରି ଉଦ୍ଯାପନୀ ସଭାରେ କାଉଡୋଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟଶଙ୍କର ପାଠୀ ସଭାପତିତ୍ବ କରିଥିଲେ। ଅବସରପ୍ରାପ୍ତ ଅତିରିକ୍ତ ଶିକ୍ଷା ଅଧିକାରୀ ନିର୍ମଳ ପୂର୍ଣ୍ଣଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁଧିର କୁମାର ପଣ୍ଡା ମୁଖ୍ୟବକ୍ତା, ବାଞ୍ଜିବାହାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁର୍ଗା ପ୍ରସାଦ ନାଏକ, ସାମ୍ବାଦିକ ଚକ୍ରଧର ବେଶ୍ରା, ଶିକ୍ଷକ ଘନଶ୍ୟାମ ବେହେରା ଏବଂ କାଉଡୋଲା ସିଆରସିସି ମନୋରଞ୍ଜନ ମାଝୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଉତ୍ସାହ ବୃଦ୍ଧି କରିଥିଲେ। ଏହି କ୍ରମରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଶିକ୍ଷକ ନିଲାମ୍ବର ଦାସ ଓ ଶିକ୍ଷୟିତ୍ରୀ ଯଶୋଧାରା ବାଗ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ। ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସ୍କୁଲ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
