ବ୍ରହ୍ମପୁର ଚମାଖଣ୍ଡିରେ ସିରିଜ୍ ଦୁର୍ଘଟଣା । ୨ ମୃତ, ୫ରୁ ଅଧିକ ଗୁରୁତର ।

୨ ବାଇକ୍, ସ୍କୁଟି ସହ ଟ୍ରକ୍ ଓ କାର୍ ଧକ୍କା
ଦୁର୍ଘଟଣା ପରେ ଜାତୀୟ ରାଜପଥ ଅବରୋଧ

ବ୍ରହ୍ମପୁର/କ୍ରାନ୍ତିକ୍ଷେତ୍ର (ଯଯାତୀ କେଶରୀ ବେହେରା) : ଜାତୀୟ ରାଜପଥ ୧୬ରେ ବଡ଼ ଧରଣର ସିରିଜ୍ ଦୁର୍ଘଟଣା ହୋଇଛି । ଛତ୍ରପୁର ନିକଟ ଚମାଖଣ୍ଡି ଜାତୀୟ ରାଜପଥର ବାଇକ୍, ସ୍କୁଟି, ଟ୍ରକ୍ ଓ କାର୍ ମଧ୍ୟରେ ସିରିଜ୍ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଏହି ସିରିଜ୍ ଦୁର୍ଘଟଣାରେ ଏକାଧିକ ଲୋକ ମୃତାହତ ହୋଇଥିବା ଜଣାପଡ଼ିଛି । ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ MKCG ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଦୁଇ ବାଇକ, ଗୋଟିଏ ସ୍କୁଟି ସହ ଟ୍ରକ ଏବଂ କାର ମଧ୍ୟରେ ଏହି ସିରିଜ୍ ଦୁର୍ଘଟଣା ହୋଇଛି । ସ୍କୁଟି ଓ ବାଇକ୍ ଉପରେ ଟ୍ରକ୍‌ଟି ଚଢ଼ି ଯାଇଥିବା ସୂଚନା ମିଳିଛି । ଦୁର୍ଘଟଣାର ମୃତାହତଙ୍କ ମଧ୍ୟରେ ମହିଳା ମଧ୍ୟ ରହିଛନ୍ତି । ଚମାଖଣ୍ଡି ଦେଇ ୧୬ ନମ୍ବର ଜାତୀୟ ରାଜପଥ ଯାଇଛି । ଦୁର୍ଘଟଣା ଘଟିଥିବା ସ୍ଥାନରେ ଏକ ଓଭର୍ ବ୍ରିଜ୍ ନିର୍ମାଣ ପାଇଁ ପୂର୍ବରୁ ଗ୍ରାମବାସୀମାନେ ଦାବି କରି ଆସୁଥିଲେ । ଏବେ ଦୁର୍ଘଟଣା ପରେ ଗ୍ରାମବାସୀ ରାସ୍ତାରୋକ କରିବା ସହ ତୁରନ୍ତ ଓଭର୍ ବ୍ରିଜ୍ ନିର୍ମାଣ କରିବାକୁ ଦାବି ରଖିଛନ୍ତି । ଜାତୀୟ ରାଜପଥ-୧୬ରେ ଭୁବନେଶ୍ୱର ପଟୁ ଟ୍ରକ୍ (MH12TV 8072) ଆସୁଥିଲା ବେଳେ ଚମାଖଣ୍ଡି ଛକ ନିକଟରେ ପ୍ରଥମେ ଏକ କାର୍‌କୁ ଧକ୍କା ଦେଇ ଡିଭାଇଡର ଉପରେ ଚଢ଼ି ଅପରପାର୍ଶ୍ଵକୁ ପଳାଇ ଆସିଥିଲା । ବୀପରିତ ରାସ୍ତାକୁ ଆସିବା ପରେ ଟ୍ରକ୍‌ଟି ୨ଟି ବାଇକ୍ ଓ ଗୋଟିଏ ସ୍କୁଟିକୁ ମଧ୍ୟ ଧକ୍କା ଦେଇଛି ।

Leave a Reply

Your email address will not be published. Required fields are marked *