ଭବାନୀପାଟଣା ସଦର ଅଞ୍ଚଳରେ ଶ୍ରମ ବିଭାଗର ଚଢ଼ାଉ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲାକୁ ଶିଶୁ ଶ୍ରମିକମୁକ୍ତ ଜିଲ୍ଲା ଭାବେ ଗଢ଼ିତୋଳିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ (DLTF)ର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭବାନୀପାଟଣା ସଦର ଅଞ୍ଚଳରେ ଚଢ଼ାଉ ଓ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ଶ୍ରମ ବିଭାଗର ଜିତମ ମାଝୀ, ସହକାରୀ ଶ୍ରମ ଅଧିକାରୀ ଭବାନୀପାଟଣାଙ୍କ ପରିଚାଳନାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (DCPU), ପୁଲିସ, ଚାଇଲ୍ଡଲାଇନ୍ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ସାମିଲ ହୋଇଥିଲେ। ଅଭିଯାନ ସମୟରେ ବିଭିନ୍ନ ପ୍ରତିଷ୍ଠାନର ମାଲିକ ଓ ଶ୍ରମିକମାନଙ୍କୁ ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬ର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯାଇଥିଲା। ଶିଶୁ ଶ୍ରମିକ ନିୟୋଜନରୁ ବିରତ ରହିବା ସହ ଆଇନର ନିୟମାବଳୀ ପାଳନ କରିବାକୁ ନିଯୁକ୍ତିଦାତାମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏଥିସହିତ ବିଭିନ୍ନ ପ୍ରତିଷ୍ଠାନରେ ସଚେତନତାମୂଳକ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଜଣେ ଶିଶୁ ଶ୍ରମିକ ଓ ଜଣେ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ଆଇନଗତ ଓ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନିମନ୍ତେ ଉଭୟଙ୍କୁ କଳାହାଣ୍ଡି ଜିଲ୍ଲା ଶିଶୁ ମଙ୍ଗଳ ସମିତି (CWC) ନିକଟରେ ଉପସ୍ଥାପନ କରାଯାଇଥିଲା। ଜିଲ୍ଲାକୁ ଶିଶୁ ଶ୍ରମିକମୁକ୍ତ କରିବା ସହ ଶିଶୁମାନଙ୍କର ଅଧିକାର ଓ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏଭଳି ଚଢ଼ାଉ ଓ ସଚେତନତାମୂଳକ ଅଭିଯାନ ଜାରି ରହିବ।

Leave a Reply

Your email address will not be published. Required fields are marked *