ସିଡ଼ିଓଙ୍କ ଆମପାଣି ଗ୍ରାମ ପଞ୍ଚାୟତ ଗସ୍ତ

କୋକସରା/କ୍ରାନ୍ତିକ୍ଷେତ୍ର : ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡ଼ିଓ) ସୋମ୍ୟରଞ୍ଜନ ପ୍ରଧାନ ଗୁରୁବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଗ୍ରାମ ପଞ୍ଚାୟତର ଉପାନ୍ତ ଅଞ୍ଚଳଗୁଡ଼ିକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସିଡ଼ିଓ ଶ୍ରୀ ପ୍ରଧାନ ପ୍ରଥମେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ସ୍ଥାନୀୟ ଅଧିକାରୀମାନଙ୍କ ସହ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ବିକାଶମୂଳକ ଯୋଜନା ବାବଦରେ ବିଶଦ ଆଲୋଚନା କରିଥିଲେ। ଏହାପରେ ସେ ଆମପାଣି ଅଭିମୁଖେ ଗସ୍ତ କରି ପଞ୍ଚାୟତ ଅନ୍ତର୍ଗତ ବଣ-ପାହାଡ଼ ଘେରା ଉପାନ୍ତ ଗାଁ ଗିର୍ଲିମାଲରେ ପହଞ୍ଚିଥିଲେ। ସେଠାରେ ସେ ଗ୍ରାମବାସୀଙ୍କ ପାନୀୟ ଜଳ, ରାସ୍ତାଘାଟ ଏବଂ ଆବାସ ଗୃହ ଭଳି ମୌଳିକ ସମସ୍ୟା ସମ୍ପର୍କରେ ସୀମାନ୍ତ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ବିଶେଷକରି ଗ୍ରାମବାସୀଙ୍କ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ପାହାଡ଼ିଆ ଝରଣା ପାଣିକୁ ବିଶୁଦ୍ଧିକରଣ କରି କିପରି ସୁରକ୍ଷିତ ପାନୀୟ ଜଳ ରୂପେ ବ୍ୟବହାର କରାଯାଇପାରିବ, ସେ ନେଇ ସ୍ୱତନ୍ତ୍ର ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହାପରେ ସିଡ଼ିଓ କୁଟ୍ରୁ ଗ୍ରାମରେ ପହଞ୍ଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଗୃହଗୁଡ଼ିକର ସମୀକ୍ଷା କରିବା ସହ ସ୍ଥାନୀୟ ଅଙ୍ଗନୱାଡ଼ି କେନ୍ଦ୍ର ଓ ଗାଁର ଅନ୍ୟାନ୍ୟ ସମସ୍ୟାର ତଦାରଖ କରିଥିଲେ। ଏହି ଗସ୍ତ ସମୟରେ ସିଡ଼ିଓ ଶ୍ରୀ ପ୍ରଧାନଙ୍କ ସମେତ ଏପିଡ଼ି ଅମୁଲ୍ୟ ବଉଳ, ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ବ୍ଳକ ସହକାରୀ ଯନ୍ତ୍ରୀ ଏହମ୍ମଦ ସରିଫ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ, ଯନ୍ତ୍ରୀ ଶାନ୍ତୁନୁ ରଣା, ପିଇଓ ଯୋଗେଶ୍ୱର ବେମାଲ ଏବଂ ବିପିସି ଜିତେନ୍ଦ୍ର ମିଶ୍ରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *