ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର(ପ୍ରଦୀପ ପଣ୍ଡା) : ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଗାଁକୁ ଖଣ୍ଡିଏ ରାସ୍ତା ନାହିଁ। ଯାତାୟାତ ପାଇଁ ଭରସା କେବଳ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ସଂକୀର୍ଣ୍ଣ ପାଦଚଲା ରାସ୍ତା। ଶିକ୍ଷାଠାରୁ ସ୍ୱାସ୍ଥ୍ୟ, ପାନୀୟଜଳ ଠାରୁ ଆବାସ ଯୋଜନା ସବୁଠି ଅବ୍ୟବସ୍ଥାର ଚିତ୍ର। ଜୀବିକା ପାଇଁ କେହି ଜଙ୍ଗଲରୁ ସିଆଳି ପତ୍ର ସଂଗ୍ରହ କରୁଛନ୍ତି ତ ଆଉ କେହି ପରିବାର ପ୍ରତିପୋଷଣ ପାଇଁ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ବିକାଶର ଅନେକ ପ୍ରତିଶ୍ରୁତି ସତ୍ତ୍ୱେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମ ପଞ୍ଚାୟତର ପୋଡାପାଇ ଗ୍ରାମବାସୀ। ପ୍ରାୟ ୫୫ଟି ଆଦିବାସୀ ପରିବାର ବସବାସ କରୁଥିବା ଏହି ଗାଁର ବିକାଶ ଚିତ୍ର ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। କେରପାଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରୁ ପ୍ରାୟ ୬ କିଲୋମିଟର ଦୂରରେ ରହିଛି ପୋଡାପାଇ ଗାଁ। ଅନ୍ୟପକ୍ଷରେ, କେରପାଇଠାରୁ ମେଲରଫାକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କଠାରୁ ଗାଁଟିର ଦୂରତା ପ୍ରାୟ ୨ କିଲୋମିଟର। ହେଲେ ଏହି ଦୂରତା ଅତିକ୍ରମ କରିବା ଗ୍ରାମବାସୀଙ୍କ ପାଇଁ ସହଜ ନୁହେଁ। କୁଟ୍ରୁମାଳି ପାହାଡ଼ର ପାଦଦେଶରେ ଥିବା ଘଞ୍ଚ ଜଙ୍ଗଲ ମଧ୍ୟରେ ସଂକୀର୍ଣ୍ଣ ପାଦଚଲା ରାସ୍ତା ଦେଇ ଗାଁକୁ ଯିବାକୁ ପଡ଼େ। ବାଟରେ ତିନୋଟି ସ୍ଥାନରେ ନାଳ ଓ ଝରଣା ଅତିକ୍ରମ କରିବାକୁ ହୋଇଥାଏ ।ବିଶେଷକରି ବର୍ଷାଦିନେ ଏହି ରାସ୍ତା ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼େ। ପାହାଡ଼ରୁ ମାଟି ଧୋଇ ଆସି ଗାଁ ଦାଣ୍ଡରେ ଜମା ହେଉଥିବା ବେଳେ ନାଳ ଓ ଝରଣାରେ ଜଳସ୍ତର ବଢ଼ିଲେ ଯାତାୟାତ ଆହୁରି କଷ୍ଟକର ହୋଇଯାଏ। ଏଭଳି ପରିସ୍ଥିତିରେ ଜରୁରୀ କାମରେ ବାହାରକୁ ଯିବା ମଧ୍ୟ ଗ୍ରାମବାସୀଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଥାଏ। ଗ୍ରାମରେ ଶିକ୍ଷାର ବ୍ୟବସ୍ଥା ମଧ୍ୟ ଚିନ୍ତାଜନକ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ପ୍ରାଥମିକ ବିଦ୍ୟାଳୟଟି ଏବେ ଜରାଜୀର୍ଣ୍ଣ ଅବସ୍ଥାକୁ ଗତି କରୁଛି। ବିଦ୍ୟାଳୟରେ ପାନୀୟଜଳର ବ୍ୟବସ୍ଥା ନାହିଁ କି ସୁରକ୍ଷା ପାଚେରି ମଧ୍ୟ ନାହିଁ। ମାତ୍ର ଜଣେ ଶିକ୍ଷକଙ୍କ ଦ୍ୱାରା ଚାଲିଛି ପାଠପଢ଼ା। ପିଲାମାନଙ୍କ ଉନ୍ନତ ଶିକ୍ଷାଦାନ ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ସୁବିଧା ନଥିବାରୁ ଶିକ୍ଷାର ମାନକୁ ନେଇ ଉଠୁଛି ପ୍ରଶ୍ନ। ଏଭଳି ପରିସ୍ଥିତିରେ ଗ୍ରାମର କୋମଳମତି ଶିଶୁମାନଙ୍କ ଭବିଷ୍ୟତ କିପରି ସୁରକ୍ଷିତ ହେବ, ତାହା ଚିନ୍ତାର ବିଷୟ ପାଲଟିଛି। ଗ୍ରାମରେ ନିଜସ୍ୱ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ପୋଡାପାଇ ଗାଁ କାଚେଲେଖା ଅଙ୍ଗନବାଡ଼ି କେନ୍ଦ୍ର ଅଧୀନରେ ରହିଥିବା ବେଳେ ଏହାର ଦୂରତା ପ୍ରାୟ ୬ କିଲୋମିଟର ବୋଲି ଜଣାପଡ଼ିଛି। ଏହା ଫଳରେ ଛୋଟ ପିଲା, ଗର୍ଭବତୀ ମହିଳା ଓ ପ୍ରସୂତି ମା’ମାନଙ୍କୁ ଆବଶ୍ୟକୀୟ ସେବା ପାଇବାରେ ଅସୁବିଧା ହେଉଥିବା ଆଶଙ୍କା ରହିଛି। ଦୁର୍ଗମ ଅଞ୍ଚଳରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ସହଜରେ ପହଞ୍ଚାଇବା ପାଇଁ ସ୍ଥାନୀୟ ସ୍ତରରେ ଆବଶ୍ୟକ ବ୍ୟବସ୍ଥା କରିବା ଜରୁରୀ ହୋଇପଡ଼ିଛି। ସରକାରଙ୍କ ବିଭିନ୍ନ ଆବାସ ଯୋଜନା ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବାର ଲକ୍ଷ୍ୟ ରଖିଥିବା ବେଳେ ପୋଡାପାଇ ଗ୍ରାମର ଅନେକ ପରିବାରଙ୍କ ପାଇଁ ଆବାସ ସୁବିଧା ଏବେ ବି ସ୍ୱପ୍ନ ପାଲଟିଛି ବୋଲି ଅଭିଯୋଗ ହୋଇଛି। ଗ୍ରାମର ପ୍ରତିଟି ଯୋଗ୍ୟ ପରିବାର ଯେପରି ଆବାସ ଯୋଜନାର ସୁଫଳ ପାଇପାରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ଯୋଗ୍ୟତା ଯାଞ୍ଚ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଦରକାର ବୋଲି ମତ ପ୍ରକାଶ ପାଉଛି। ଗାଁରେ ନିୟମିତ ରୋଜଗାରର ସୁଯୋଗ ନଥିବାରୁ ଅଧିକାଂଶ ପରିବାର ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ। ବିଶେଷକରି ମହିଳାମାନେ କୁଟ୍ରୁମାଳି ପାହାଡ଼ ପାଦଦେଶର ଜଙ୍ଗଲରୁ ସିଆଳି ପତ୍ର ସଂଗ୍ରହ କରି ଜୀବିକା ନିର୍ବାହ କରୁଛନ୍ତି। ପତ୍ର ସଂଗ୍ରହ କରିବା, ଖରାରେ ଶୁଖାଇବା ଏବଂ ପରେ ବିଡ଼ା ବାନ୍ଧିବା ପର୍ଯ୍ୟନ୍ତ ସେମାନଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼େ। ଏହି ପତ୍ରରୁ ଖଲି ଓ ଦନା ପ୍ରସ୍ତୁତ କରାଯାଏ। କିନ୍ତୁ ଏତେ ପରିଶ୍ରମ ସତ୍ତ୍ୱେ ଦଲାଲଙ୍କ ନିକଟରେ ଉଚିତ ମୂଲ୍ୟ ମିଳୁନଥିବା ଅଭିଯୋଗ ରହିଛି। ଅନ୍ୟପକ୍ଷରେ, ଗ୍ରାମରେ କାମଧନ୍ଦାର ସୁଯୋଗ ନଥିବାରୁ ପରିବାର ପ୍ରତିପୋଷଣ ପାଇଁ ୩୫ରୁ ଅଧିକ ଯୁବକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଜଣାପଡ଼ିଛି। ନିଜ ଗାଁରେ ରୋଜଗାରର ସୁଯୋଗ ସୃଷ୍ଟି କରିବା ସହ ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଓ ବଜାର ସୁବିଧା ଯୋଗାଇଦେବା ଏଠାକାର ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିପାରିବ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ସ୍ଥାନୀୟ ନେତାମାନେ ଗାଁକୁ ଆସି ବିକାଶର ପ୍ରତିଶ୍ରୁତି ଦେଇଥାନ୍ତି। ହେଲେ ନିର୍ବାଚନ ସରିଗଲେ ସେହି ପ୍ରତିଶ୍ରୁତିର ଆଉ କୌଣସି ଖୋଜଖବର ରହୁନଥିବା ସେମାନେ କହିଛନ୍ତି। ଏପରିକି ଭୋଟ ଦେବା ପାଇଁ ଗ୍ରାମବାସୀଙ୍କୁ ପ୍ରାୟ ୫ କିଲୋମିଟର ଦୂର ମେଲରଫା ମତଦାନ କେନ୍ଦ୍ରକୁ ଯିବାକୁ ପଡ଼େ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଆଜି ପର୍ଯ୍ୟନ୍ତ କୌଣସି ବିଧାୟକ, ସାଂସଦ କିମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ଗାଁକୁ ଆସି ଲୋକଙ୍କ ସମସ୍ୟା ଅନୁଧ୍ୟାନ କରିନାହାନ୍ତି। ପୋଡାପାଇ ଗାଁର ସମସ୍ୟା କେବଳ ରାସ୍ତା ନିର୍ମାଣରେ ସୀମିତ ନୁହେଁ। ଶିକ୍ଷା, ଅଙ୍ଗନବାଡ଼ି ସେବା, ପାନୀୟଜଳ, ଆବାସ ଓ ଜୀବିକା ଭଳି ମୌଳିକ ଆବଶ୍ୟକତା ପୂରଣ ହେବା ମଧ୍ୟ ସମାନ ଭାବେ ଜରୁରୀ। ଦୁର୍ଗମ ଅଞ୍ଚଳରେ ରହୁଥିବା ଏହି ଆଦିବାସୀ ପରିବାରଗୁଡ଼ିକୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମନ୍ୱିତ ପଦକ୍ଷେପ ଆବଶ୍ୟକ। ଏବେ ପ୍ରଶ୍ନ ଉଠୁଛି କି ପୋଡାପାଇ ଗାଁକୁ କେବେ ନିର୍ମାଣ ହେବ ସବୁଦିନିଆ ରାସ୍ତା? କେବେ ସୁଧୁରିବ ବିଦ୍ୟାଳୟର ଭିତ୍ତିଭୂମି? କେବେ ମିଳିବ ଗ୍ରାମବାସୀଙ୍କୁ ରୋଜଗାର ଓ ଆବଶ୍ୟକ ମୌଳିକ ସୁବିଧା? ପ୍ରଶାସନ ଓ ଜନପ୍ରତିନିଧିମାନେ ଗାଁର ବାସ୍ତବ ସ୍ଥିତି ଅନୁଧ୍ୟାନ କରି ରାସ୍ତା ନିର୍ମାଣ ସହ ଶିକ୍ଷା, ପାନୀୟଜଳ, ଆବାସ ଓ ଜୀବିକା ସମସ୍ୟାର ସମାଧାନ ଦିଗରେ ଠୋସ୍ ପଦକ୍ଷେପ ନେବାକୁ ଦାବି ହେଉଛି। ପୋଡାପାଇବାସୀଙ୍କ ପାଇଁ ବିକାଶ ଆଉ କେବଳ ପ୍ରତିଶ୍ରୁତିରେ ସୀମିତ ନରହି ବାସ୍ତବ ରୂପ ନେବା ଆବଶ୍ୟକ।
