କୋକସରା/କ୍ରାନ୍ତିକ୍ଷେତ୍ର : ଚଳିତ ବର୍ଷ କୋକସରା ବ୍ଲକ ଟେମରା ଗ୍ରାମରେ ଅନୁଷ୍ଠିତ ହେଉଥିବା ସାର୍ବଜନୀନ ଦୁର୍ଗାପୂଜା ୪୧ ବର୍ଷରେ ପଦାର୍ପଣ କରିଛି। ପବିତ୍ର ସାରଦୀୟ ପୂଜା ଅବସରରେ ଶୁକ୍ରବାର ଦିନ ଶ୍ରଦ୍ଧା ଓ ଭକ୍ତିର ସହ ବିଲ୍ଵବରଣ ଏବଂ ପବିତ୍ର କଳସ ଯାତ୍ରା ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ପୂଜା ମଣ୍ଡପ ନିକଟରୁ ଶତାଧିକ ମହିଳା ଏକତ୍ରିତ ହୋଇ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଶିବ ମନ୍ଦିର ସ୍ଥିତ ପୋଖରୀରୁ ପବିତ୍ର ଜଳ ଉଠାଇ ମଣ୍ଡପକୁ ଆଣିଥିଲେ। ଚଳିତ ବର୍ଷ ଇଶ୍ୱର ଚନ୍ଦ୍ର ସାହୁ ଓ ତାଙ୍କ ସହଧର୍ମିଣୀ ହରିପ୍ରିୟା ସାହୁ କର୍ତ୍ତା ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ପଣ୍ଡିତ ଦିଲ୍ଲୀପ କୁମାର ଯୋଶୀ ଓ ଅରୁଣ ପଣ୍ଡା ପ୍ରମୁଖ ପୂଜାର୍ଚ୍ଚନା କାର୍ଯ୍ୟ ନିର୍ବାହ କରିଥିଲେ। କଳସ ଯାତ୍ରାରେ ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହୋଇ ଚିତ୍ତାକର୍ଷକ ପରିବେଷଣ କରିଥିଲେ, ଯାହାଫଳରେ ସମଗ୍ର ଗ୍ରାମରେ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏହି ବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମଣ୍ଡପ ସାଜସଜ୍ଜା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଏହା ସହିତ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ନିମନ୍ତେ ନାଟକ, ଘୁମୁରା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା କମିଟି ପକ୍ଷରୁ ସୂଚନା ମିଳିଛି। ପୂଜା କମିଟି ସଭାପତି ରାଜେନ୍ଦ୍ର ନାଏକ, ଉପସଭାପତି ପ୍ରଶନ୍ନ ଦଳପତି, ସମ୍ପାଦକ ଦୁଷ୍ମନ୍ତ ପାତ୍ର, ସହ-ସମ୍ପାଦକ ତେଜରାଜ ମାଝୀ, କୋଷାଧ୍ୟକ୍ଷ ଗୋଲାପ ଦଳପତି, ସରପଞ୍ଚ କ୍ଷିତିରାମ ପାତ୍ର, ସମିତି ସଭ୍ୟା ଅନୁ ମାଝୀ, ସୁଧିର ପାତ୍ର, ଅଶୋକ ଦାସ, ହେମନ୍ତ ବାଣୁଆ, ସୁବାସ ଚନ୍ଦ୍ର ପାତ୍ର, କ୍ଷିରସିନ୍ଧୁ ହଂସ, ଟୋପେଶ୍ୱର ମାଝୀ, ଗୁପତ ରଣା, ପ୍ରଶାନ୍ତ ସାହୁ, ଲୋକନାଥ ପାତ୍ରଙ୍କ ସମେତ ଗ୍ରାମବାସୀ ପ୍ରମୁଖ ସକ୍ରିୟ ସହଯୋଗ କରୁଛନ୍ତି।
