ଜାତୀୟସ୍ତରରୁ ଜାପାନ ଯାତ୍ରା: କଳାହାଣ୍ଡିର ପ୍ରତିଭାବାନ ଛାତ୍ରୀ ମାନିନୀ ରଣାଙ୍କ ଗୌରବମୟ ସଫଳତା

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : ଦୃଢ଼ ଇଚ୍ଛା ଶକ୍ତି, କଠିନ ପରିଶ୍ରମ ଓ ବୈଜ୍ଞାନିକ ଚିନ୍ତାଧାରା ଆଗରେ ଗ୍ରାମାଞ୍ଚଳର ସୀମିତ ସୁବିଧା କେବେ ପ୍ରତିବନ୍ଧକ ସାଜିପାରେ ନାହିଁ, ତାହା ପୁଣିଥରେ ପ୍ରମାଣିତ କରି ଦେଖାଇଛନ୍ତି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମିନଗୁର ପଞ୍ଚାୟତ ଅନ୍ତର୍ଗତ ଧନପୁର ଗ୍ରାମର ପ୍ରତିଭାବାନ ଛାତ୍ରୀ ମାନିନୀ ରଣା। ପୂର୍ବରୁ ଧନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ନିଜର ଅଭିନବ ଉଦ୍ଭାବନ ପାଇଁ ପରିଚିତ ହୋଇଥିବା ମାନିନୀ ଏବେ ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ, ଧନପୁର ଠାରେ ଦଶମ ଶ୍ରେଣୀରେ ଅଧ୍ୟୟନରତ। ନିଜ ଅଦ୍ଭୁତ କୃତିତ୍ୱ ବଳରେ ସେ ଆଜି ଜାତୀୟ ସ୍ତରରୁ ଆନ୍ତର୍ଜାତୀୟ ମଞ୍ଚକୁ ଉନ୍ନୀତ ହୋଇ ସମଗ୍ର ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ଚାଷୀଙ୍କ ସମସ୍ୟାରୁ ଜନ୍ମ ନେଇ ଥିଲା ନୂଆଁ ଚିନ୍ତା ଧାରା, କୃଷିଭିତ୍ତିକ ପରିବେଶରେ ବଢ଼ିଥିବା ମାନିନୀ ନିଜ ଅଞ୍ଚଳର ଚାଷୀମାନେ ସୂର୍ଯ୍ୟମୁଖୀ ଫୁଲରୁ ମଞ୍ଜି ଅଲଗା କରିବା ସମୟରେ ଭୋଗୁଥିବା ଶାରୀରିକ କଷ୍ଟ ଓ ସମସ୍ୟାକୁ ଖୁବ୍ ନିକଟରୁ ଦେଖିଥିଲେ। ଏହାର ଏକ ସହଜ ତଥା ସ୍ୱଳ୍ପ ଖର୍ଚ୍ଚବହୁଳ ସମାଧାନ ପାଇଁ ସେ ନିର୍ମାଣ କରିଥିଲେ ‘ସନଫ୍ଲାୱାର୍ ସିଡ୍ ସେପାରେଟ ନାମକ ଏକ ସ୍ୱତନ୍ତ୍ର ମେସିନ୍। ତାଙ୍କର ଏହି ମୌଳିକ ତଥା ଉପଯୋଗୀ ଚିନ୍ତାଧାରାକୁ ବିଦ୍ୟାଳୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ‘ଇନସ୍ପାୟାର ଆୱାର୍ଡ଼-ମାନକ’ ପୋର୍ଟାଲରେ ପଞ୍ଜୀକୃତ କରାଯାଇଥିଲା।  ଜିଲ୍ଲାରୁ ଜାତୀୟସ୍ତର ଯାଏଁ ସଫଳତାର ସିଡ଼ି ଚଢ଼ି ଦେଶବ୍ୟାପୀ ମୂଲ୍ୟାୟନରେ ମନୋନୀତ ହେବା ପରେ ମଡେଲ୍ ନିର୍ମାଣ ନିମନ୍ତେ ତାଙ୍କୁ ୧୦,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଏହାପରେ ସେ ଜିଲ୍ଲାସ୍ତରୀୟ ‘ ଡିଏଲ୍ଇପିସି ‘ଏବଂ ପରେ ରାଜ୍ୟସ୍ତରୀୟ ‘ ଏସଏଲ୍ଇପିସି ପ୍ରଦର୍ଶନୀରେ ନିଜ ପ୍ରକଳ୍ପର ବୈଜ୍ଞାନିକ ଉପଯୋଗିତା ପ୍ରତିପାଦନ କରି ଜାତୀୟସ୍ତରୀୟ ପ୍ରଦର୍ଶନୀ ଏନଏଲ୍ ଇପିସି ପାଇଁ ଯୋଗ୍ୟତା ଅର୍ଜନ   କରିଥିଲେ। ଜାତୀୟ ପ୍ରତିଯୋଗିତା ପୂର୍ବରୁ ଭୁବନେଶ୍ୱରସ୍ଥିତ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଏନଆଇ ଏଫ୍ ଏବଂ ଓସେପା ଦ୍ୱାରା ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ମାନିନୀ ମାର୍ଗଦର୍ଶକ ଶିକ୍ଷକଙ୍କ ସହ ଭାଗ ନେଇ ପ୍ରକଳ୍ପର ଅଧିକ ଉନ୍ନତୀକରଣ କରିଥିଲେ। ପରବର୍ତ୍ତୀ ସମୟରେ ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ପ୍ରଦର୍ଶନୀରେ ଓଡ଼ିଶାର ପ୍ରତିନିଧିତ୍ୱ କରି ସେ ଦେଶର ବିଶେଷଜ୍ଞ ତଥା ବିଚାରକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାନିନୀ, ଜାତୀୟସ୍ତରରେ ଉଲ୍ଲେଖନୀୟ ସଫଳତା ପରେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଡିଏସଟି ଏବଂ ଜାପାନ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି ଏଜେନ୍ସି ଜେଏସଟି ର ମିଳିତ ସହଯୋଗରେ ପରିଚାଳିତ ପ୍ରତିଷ୍ଠିତ ‘ସାକୁରା ସାଇନ୍ସ ହାଇସ୍କୁଲ ପ୍ରୋଗ୍ରାମ’ ଜାପାନ ପାଇଁ ମାନିନୀ ମନୋନୀତ ହୋଇଛନ୍ତି। ଜାପାନର ଅତ୍ୟାଧୁନିକ ବୈଜ୍ଞାନିକ ଗବେଷଣାଗାର ପରିଦର୍ଶନ ଏବଂ ସେଠାକାର ବୈଜ୍ଞାନିକମାନଙ୍କ ସହ ଭାବ ବିନିମୟ କରିବାର ଏହି ବିରଳ ସୁଯୋଗ କଳାହାଣ୍ଡି ମାଟି ପାଇଁ ଏକ ବିଶାଳ ଗୌରବ। ଧନପୁର ଗ୍ରାମର ଜୟନ୍ତ ରଣାଙ୍କ ଝିଅ ମାନିନୀଙ୍କର ଏହି ସଫଳତା ପଛରେ ତାଙ୍କର ଅକ୍ଳାନ୍ତ ପରିଶ୍ରମ ସହିତ ଶିକ୍ଷକ ଜିତେନ୍ଦ୍ର ନାୟକ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୀମସେନ ହରିଜନ ଏବଂ ସ୍ଥାନୀୟ ଶିକ୍ଷା ବିଭାଗର ଅଧିକାରୀଙ୍କ ଉତ୍ସାହ ଓ ମାର୍ଗଦର୍ଶନ ପ୍ରଶଂସନୀୟ। ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ଭିତରେ ଥିବା ସୃଜନଶୀଳତାକୁ ଉପଯୁକ୍ତ ପ୍ଲାଟଫର୍ମ ମିଳିଲେ ସେମାନେ ମଧ୍ୟ ବିଶ୍ୱସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ, ତାହା ମାନିନୀ ପ୍ରମାଣ କରି ଦେଖାଇଛନ୍ତି।

Leave a Reply

Your email address will not be published. Required fields are marked *