ମାଲକାନଗିରି/କ୍ରାନ୍ତିକ୍ଷେତ୍ର (ଏନ. ରବି କୁମାର) : ଦୁର୍ଗାପୂଜା ତଥା ଦଶହରାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ସଦର ମହକୁମାରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଆଗାମୀ ପୂଜାକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ପାଳନ କରିବା ନେଇ ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ମାଲକାନଗିରି ଆଦର୍ଶ ଥାନା ପକ୍ଷରୁ ଆଇଆଇସି ଦେବଦତ୍ତ ମଲ୍ଲିକଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ସଦର ବଜାର ସମେତ ବିଭିନ୍ନ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଥିଲା। ଏହି ସମୟରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ବଜାର ଅଞ୍ଚଳ ପରିକ୍ରମା କରିବା ସହ ଦଶହରା ସମୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ ଲୋକଙ୍କୁ ସଚେତନ କରିଥିଲେ। ପୂଜା ସମୟରେ ଟ୍ରାଫିକ୍ ନିୟମ ପାଳନ, ଭିଡ଼ ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ସହ କୌଣସି ପ୍ରକାରର ଅଶାନ୍ତି ସୃଷ୍ଟି ନକରି ହର୍ଷୋଲ୍ଲାସର ସହ ଦୁର୍ଗାପୂଜା ଓ ଦଶହରା ପାଳନ କରିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଥିଲା। ମାଲକାନଗିରି ଏସ୍ପି ବିନୋଦ ପାଟିଲ ଏଚ୍ଙ୍କ ନିର୍ଦ୍ଦେଶକ୍ରମେ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିବା ଆଇଆଇସି ଦେବଦତ୍ତ ମଲ୍ଲିକ ସୂଚନା ଦେଇଛନ୍ତି। ପୂଜା ସମୟରେ ଜିଲ୍ଲାରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସର ପାଟ୍ରୋଲିଂ ଓ ନଜରଦାରିକୁ ମଧ୍ୟ ଜୋରଦାର କରାଯାଇଛି।
