କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର(ମନଧର କର୍ମୀ) : ବୌଦ୍ଧ ବ୍ଲକ ଅନ୍ତର୍ଗତ ରକ୍ସା ପଞ୍ଚାୟତର ଦହ୍ୟା କ୍ଲଷ୍ଟର ପକ୍ଷରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମହେଶ୍ୱରପିଣ୍ଡା ପରିସରରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ, ଆତ୍ମବିଶ୍ୱାସ ବୃଦ୍ଧି ତଥା ଶିକ୍ଷା ସହିତ ସହ-ପାଠ୍ୟକ୍ରମ କାର୍ଯ୍ୟକଳାପ ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ଦହ୍ୟା କ୍ଲଷ୍ଟରର ସିଆରସିସି କାହ୍ନୁଚରଣ ସେଠୀଙ୍କ ଉପସ୍ଥିତିରେ ଆୟୋଜିତ ସଭାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧରଣୀଧର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଶଶିଭୂଷଣ ମହାକୁଡ ଓ ପ୍ରଧାନଶିକ୍ଷୟିତ୍ରୀ ରଙ୍ଗିତା ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଦହ୍ୟା କ୍ଲଷ୍ଟର ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇ ମହୋତ୍ସବକୁ ସଫଳ କରିଥିଲେ। ଏହି ଶିଶୁ ମହୋତ୍ସବରେ ପିଲାମାନଙ୍କ ପାଇଁ ନାଚ, ଗୀତ, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ବକ୍ତୃତା, କୁଇଜ୍ ଓ ବିଜ୍ଞାନ ପ୍ରଦର୍ଶନୀ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତା ଗୁଡ଼ିକରେ ଛାତ୍ରଛାତ୍ରୀମାନେ ନିଜ ନିଜର ଦକ୍ଷତା, ଜ୍ଞାନ, କଳ୍ପନାଶକ୍ତି ଓ ସୃଜନଶୀଳତାର ପରିଚୟ ଦେଇଥିଲେ। କେବଳ ପାଠପଢ଼ାରେ ସୀମିତ ନରହି ଶିଶୁମାନଙ୍କ ଶାରୀରିକ, ମାନସିକ, ବୌଦ୍ଧିକ ଓ ସାମାଜିକ ବିକାଶ ସହିତ ସେମାନଙ୍କ ମଧ୍ୟରେ ନେତୃତ୍ୱ, ସହଯୋଗ ଓ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବାରେ ଏଭଳି କାର୍ଯ୍ୟକ୍ରମ ସହାୟକ ହୋଇଥାଏ ବୋଲି ମହୋତ୍ସବର ଉଦ୍ଦେଶ୍ୟରୁ ପ୍ରତିଫଳିତ ହୋଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। ଏହାପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ମହୋତ୍ସବର ଆକର୍ଷଣ ବୃଦ୍ଧି କରିଥିଲା। ଏଥିରେ ପିଏମ୍ ଶ୍ରୀ ନୋଡାଲ ହାଇସ୍କୁଲ, ଦହ୍ୟାର ଛାତ୍ରଛାତ୍ରୀ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ଦ୍ୱାରା ପ୍ରଥମ ସ୍ଥାନ ଅଧିକାର କରି କ୍ଲଷ୍ଟର ପାଇଁ ଗୌରବ ଆଣିଥିଲେ। କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀ ସୁଚାରୁରୂପେ ମଞ୍ଚ ପରିଚାଳନା କରିଥିବା ବେଳେ ହେମକାନ୍ତ ମେହେରଙ୍କ ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସହକାରୀ ଶିକ୍ଷକ ସୁଶାନ୍ତ କୁମାର ଜାନୀ ଉପସ୍ଥିତ ଅତିଥି, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁମାନଙ୍କ ପ୍ରତିଭାକୁ ଚିହ୍ନଟ କରିବା ସହ ସେମାନଙ୍କୁ ଭବିଷ୍ୟତରେ ଆହୁରି ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବାରେ ‘ସୁରଭି-୨୦୨୬’ ଭଳି ଶିକ୍ଷାଭିତ୍ତିକ ମହୋତ୍ସବର ଗୁରୁତ୍ୱ ରହିଥିବା ବେଳେ ମହେଶ୍ୱରପିଣ୍ଡାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶିଶୁମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲା।
