ଘଣ୍ଟାପଡ଼ା ଗ୍ରିଡ୍‌ରେ ଭକ୍ତିମୟ ପରିବେଶରେ ଦୁର୍ଗାପୂଜା ଅନୁଷ୍ଠିତ

କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଗ୍ରିଡ୍‌ ପରିସରରେ ଆଜି ଭକ୍ତି ଓ ଶ୍ରଦ୍ଧାପୂର୍ଣ୍ଣ ପରିବେଶରେ ମା’ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଧାର୍ମିକ ଆୟୋଜନକୁ ନେଇ ଗ୍ରିଡ୍‌ ପରିସରରେ ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବା ବେଳେ ପୂଜାରେ ଗ୍ରିଡ୍‌ର କର୍ମଚାରୀ, ବିଦ୍ୟୁତ୍‌ ଉପଭୋକ୍ତା ଓ ଅନ୍ୟାନ୍ୟ ଶ୍ରଦ୍ଧାଳୁମାନେ ଯୋଗଦେଇ ମା’ ଦୁର୍ଗାଙ୍କ ଆଶୀର୍ବାଦ ଲାଭ କରିଥିଲେ। ଏହି ପୂଜାରେ ପ୍ରଦୀପ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ ସୁଲୋଚନା ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯାଇ ସମସ୍ତଙ୍କ ମଙ୍ଗଳ, ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରାଯାଇଥିଲା। ପୂଜାର ସଫଳ ଆୟୋଜନରେ ଘଣ୍ଟାପଡ଼ା ଗ୍ରିଡ୍‌ର ସମସ୍ତ କର୍ମଚାରୀ ଓ ପିଲାମାନେ ସହଯୋଗର ହାତ ବଢ଼ାଇଥିଲେ। ସେମାନଙ୍କର ସାମୂହିକ ଉଦ୍ୟମ ଓ ସହଯୋଗ ଯୋଗୁଁ ଧାର୍ମିକ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ କଣ୍ଟାମାଳର ପୂର୍ବତନ ବିଧାୟକ ମହିଧର ରଣା ଘଣ୍ଟାପଡ଼ା ଗ୍ରିଡ୍‌କୁ ଆସି ମା’ ଦୁର୍ଗାଙ୍କ ଦର୍ଶନ କରିବା ସହ ପୂଜାରେ ଯୋଗଦେଇ ମା’ଙ୍କ କୃପା ଲାଭ କରିଥିଲେ। ତାଙ୍କର ଉପସ୍ଥିତି କାର୍ଯ୍ୟକ୍ରମକୁ ଆହୁରି ଗରିମାମୟ କରିଥିଲା। ଏଥିସହ ଅନେକ ବିଦ୍ୟୁତ୍‌ ଉପଭୋକ୍ତା ଓ ସମାଜସେବୀ ମଧ୍ୟ ପୂଜାରେ ସାମିଲ ହୋଇ ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଗ୍ରହଣ କରିଥିଲେ। ଧାର୍ମିକ ଆୟୋଜନ ମାଧ୍ୟମରେ ସମସ୍ତଙ୍କ ମଧ୍ୟରେ ଭାଇଚାରା, ସଦ୍‌ଭାବନା ଓ ସାମାଜିକ ଏକତାର ଭାବନା ଅଧିକ ସୁଦୃଢ଼ ହୋଇଥିଲା। ପୂଜାରେ ଯୋଗଦେଇଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସମସ୍ତେ ଏକତ୍ରିତ ହୋଇ ପ୍ରସାଦ ସେବନ କରିବା ସହ ପରସ୍ପର ମଧ୍ୟରେ ସ୍ନେହ, ସଦ୍‌ଭାବ ଓ ଆତ୍ମୀୟତାର ଭାବ ବାଣ୍ଟିଥିଲେ। ଘଣ୍ଟାପଡ଼ା ଗ୍ରିଡ୍‌ ପରିସରରେ ଆୟୋଜିତ ଏହି ଦୁର୍ଗାପୂଜା କେବଳ ଏକ ଧାର୍ମିକ ଉତ୍ସବ ଭାବେ ସୀମିତ ନରହି ସାମୂହିକ ସହଯୋଗ, ସାମାଜିକ ସଦ୍‌ଭାବନା ଓ ଆଧ୍ୟାତ୍ମିକ ଚେତନାର ଏକ ସୁନ୍ଦର ଉଦାହରଣ ପାଲଟିଥିଲା। ମା’ ଦୁର୍ଗାଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖମୟ ହେଉ, ସମାଜରେ ଶାନ୍ତି ଓ ସମୃଦ୍ଧି ବଜାୟ ରହୁ, ଏହି କାମନା ସହ ପୂଜା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published. Required fields are marked *