ପ୍ରେମି ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୋକସରା/କ୍ରାନ୍ତିକ୍ଷେତ୍ର : ନିଖୋଜର ପାଞ୍ଚ ଦିନ ପରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଏକ ଡଙ୍ଗରୀରୁ ପୁଲିସ ଉଦ୍ଧାର କରିଛି। ହତ୍ୟା ପରେ ଆତ୍ମହତ୍ୟାର ରୁପ ଦେଇ ଏଭଲି ଟିଙ୍ଗେଇ ଦିଆଯାଇଥିବା ଅଭିଯୋଗ ହୋଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଏଭଳି  ଚାଞ୍ଚଲ୍ୟ କର ଘଟଣା ଗୁରୁବାର କୋକସରା ଥାନା ଅନ୍ତର୍ଗତ ବେହେରା ଭଣ୍ଡାର ଡଙ୍ଗରୀରେ ଦେଖିବାକୁ ମିଳୁଛି। ପୋଲିସ ସୂଚନା ଅନୁଯାୟୀ, କୋକସରା ଥାନା ଅନ୍ତର୍ଗତ ଟେଣ୍ଡାପାଲି ଗ୍ରାମର ଅଜିତ କୁମାର ନାଏକ ଓ ଧର୍ମଗଡ ସହର ଅନ୍ତର୍ଗତ କେନ୍ଦୁମୁଡ଼ିପଡାର ପ୍ରିୟ ଦର୍ଶିନୀ ନାଏକଙ୍କ ପ୍ରେମ ସମ୍ପର୍କ ରହିଥିଲା। ଉଭୟେ ଭିନ୍ନ ଜାତିର ହୋଇଥିବାବେଳେ ପରିବାର ମଧ୍ୟରେ ଅସହମତି ପ୍ରକାଶ ପାଇଥିଲା। ଗତ ୧୭ ତାରିଖ ଦିନ ସେମାନେ ରାତିରୁ ନିଖୋଜ ହୋଇ ଯାଇଥିଲେ। ଏନେଇ ଉଭୟଙ୍କ ପରିବାର ପକ୍ଷରୁ କୋକସରା ଓ ଧର୍ମଗଡ ଥାନାରେ ନିଖୋଜ ମାମଲା କରାଯାଇଥିଲା।  ଗୁରୁବାର  ସକାଳେ କିଛି ଲୋକ ଜଙ୍ଗଲ କୁ କାଠ ସଂଗ୍ରହ କରିବାକୁ ଆସି ଝଲନ୍ତା ମୃତ ଦେହକୁ ଦେଖିଥିଲେ। ଏହି ଘଟଣା ପ୍ରଚାରିତ ହେବାପରେ ଲୋକଙ୍କ ଭିଡ଼ ଜମି ଥିଲା। ମୃତ ଦେହ ଦୁଇଟି ଗଲିତ ଅବସ୍ଥାରେ ରହିଥିବାବେଳେ ମୁଣ୍ଡ ବାଳ ତଳେ ଝରି ପଡିଥିବା ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ଉଭୟଙ୍କ ପରିବାର ଲୋକେ ଆସି ଶବ ଚିହ୍ନଟ କରିଥିଲେ। ଏହା ଏକ ପ୍ରେମ ଜନିତ ହତ୍ୟା ବୋଲି ସାଧାରଣରେ ଚର୍ଚ୍ଚା ହୋଉଛି। ଧର୍ମଗଡ ଓ କୋକସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି  ତଦନ୍ତ ଜାରି ରଖିଛି। ତେବେ ପୁଅଙ୍କ ପରିବାର ଲୋକ କହିବା ଅନୁଯାୟୀ ଏହି ଘଟଣାରେ ଝିଅଙ୍କ ପରିବାର ଲୋକ ମାରି ଥିବା ସନ୍ଦେହ କରିଛନ୍ତି। ହତ୍ୟା ପରେ ଘଟଣା କୁ ଆତ୍ମହତ୍ୟା ରୂପ ଦେବାକୁ ପ୍ରେମୀ ଯୁଗଳଙ୍କୁ ଗଛ ଉପରେ ଟାଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି। ଅନ୍ୟପଟେ ଦେହ ସାରା ରକ୍ତ ଛିଟା ଥିବା ସହ ଦୁଇ ହାତ ପଛ ପଟେ ବନ୍ଧା ଥିବା ଅବସ୍ଥାରେ ଉଭୟ କେମିତି ଆତ୍ମହତ୍ୟା କଲେ ତାକୁ ନେଇ ସାଧାରଣରେ ସନ୍ଦେହ ଦେଖା ଦେଇଛି। ଘଟଣା ସ୍ଥଳରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବାବେଳେ ପୋଲିସ ସାଇଣ୍ଟିଫିକ ଟିମ୍ ସାହାଯ୍ୟରେ ତଦନ୍ତ କୁ ଯୋରଦାର କରାଯାଇଛି। ଗୋଟେଏ ପଟେ ପୁଅର ପରିବାର ଲୋକେ ହତ୍ୟା ବୋଲି ଅଭିଯୋଗ ଆଣିଥିବା ବେଳେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହାର ପ୍ରକୃତ କାରଣ ଏଯାଏଁ ଜଣାପଡି ନାହିଁ। ଘଟଣାରେ ସନ୍ଦେହ କରି କୋକସରା ପୁଲିସ ଜଣକୁ ଅଟକ ରଖିଥିବା ସୂଚନା ମିଳିଛି। ଏହି ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *