ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଚମ୍ପାଦେଇପୁର ପଞ୍ଚାୟତର ଗୋପୀନାଥପୁର ଗାଁ ପୋଖରୀ ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଚମ୍ପାଦେଇପୁର ପଞ୍ଚାୟତର ହରିହରପୁର ଗ୍ରାମର ତ୍ରିଲୋଚନ ଚଣ୍ଡୀ(୬୫) ବୋଲି ଜଣାପଡ଼ିଛି। ପୋଲିସ ସୂଚନା ଅନୁସାରେ, ବୁଧବାର ସକାଳ ପ୍ରାୟ ୧୦ଟା ସମୟରେ ତ୍ରିଲୋଚନ ଚଣ୍ଡୀ ଗୋପୀନାଥପୁର ଗ୍ରାମକୁ ଯାଇଥିଲେ। ସେଠାରେ ଗାଁ ପୋଖରୀରେ ଗାଧୋଉଥିବା ବେଳେ ଗଭୀର ପାଣିକୁ ଚାଲିଯାଇ ବୁଡ଼ିଯାଇଥିଲେ। ଗୋପୀନାଥପୁର ଗ୍ରାମର କିଛି ଲୋକ ଏହା ଦେଖି ଗ୍ରାମରେ ଖବର ଦେଇଥିଲେ। ଖବର ପାଇ ଗ୍ରାମବାସୀ ଲାଞ୍ଜିଗଡ଼ ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ମୃତକଙ୍କ ଝିଅ ଶାନ୍ତି ବିଶି ଖବର ପାଇ ଅପରାହ୍ନରେ ଘଟଣାସ୍ଥଳରେ ପହଞ୍ଚି ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ପରେ ଲାଞ୍ଜିଗଡ଼ ଥାନାଧିକାରୀ ଯଶୋବନ୍ତ ହିଆଲଙ୍କ ନେତୃତ୍ୱରେ ଏଏସଆଇ ବଳଭଦ୍ର ଗୌଡ଼ ପୋଲିସ ବଳ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ପାଇ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗ ମଧ୍ୟ ପହଞ୍ଚି ପୋଖରୀରୁ ଶବ ଉଦ୍ଧାର କରିଥିଲେ। ଲାଞ୍ଜିଗଡ଼ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବୁଧବାର ରାତି ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇପାରିନଥିବା ବେଳେ ଗୁରୁବାର ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏ ନେଇ ଲାଞ୍ଜିଗଡ଼ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ଆଜି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *