ଟାଙ୍ଗିଆରେ ଆକ୍ରମଣ, ବୃଦ୍ଧଙ୍କ ମୃତ୍ୟୁ

ପାପଡ଼ାହାଣ୍ଡି/କ୍ରାନ୍ତିକ୍ଷେତ୍ର ( କୈଳାସ ଚନ୍ଦ୍ର ବିଷୋୟୀ) : ନିଜ ଘର ନିକଟ ବାରିପଟ ଜାଗା ସଫା କରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଏକ ଲୋମହର୍ଷକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ସିରସୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଳପୁର କଦମଗୁଡ଼ା ଗ୍ରାମରେ। ମୃତକ ହେଲେ ନବରଙ୍ଗପୁର ବ୍ଲକ ବିକ୍ରମପୁର ଗ୍ରାମପଞ୍ଚାୟତ ଅଧୀନ ଡଙ୍ଗରିଗୁଡ଼ା ଗ୍ରାମର ମୁଣ୍ଡରା ପୂଜାରୀ (୬୦)। ଘଟଣା ପରେ ଅଭିଯୁକ୍ତଙ୍କ ପରିବାର ଲୋକେ ତାଙ୍କୁ ଧରି ଦଉଡ଼ିରେ ବାନ୍ଧି ରଖି ପୁଲିସ ଜିମା ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମୁଣ୍ଡରା ପୂଜାରୀ ପାଳପୁର କଦମଗୁଡ଼ା ଗ୍ରାମରେ ନିଜ ଶ୍ୱଶୁର ଘରେ ରହୁଥିଲେ। ଗୁରୁବାର ସକାଳେ ସେ ଘର ନିକଟସ୍ଥ ବାରିପଟ ଜାଗା ସଫା କରୁଥିଲେ। ଏହି ସମୟରେ ସେହି ଗ୍ରାମର ଉଦୟନାଥ ଅମାନତ୍ୟ ଓରଫ ଶୁକ୍ରୁ ଏକ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଗୁରୁତର ହୋଇ ମୁଣ୍ଡରା ଚିତ୍କାର କରିବାରୁ ତାଙ୍କ ସ୍ତ୍ରୀ ଓ ବୋହୂ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ହେଲେ ଅଭିଯୁକ୍ତଙ୍କୁ ଦେଖି ଭୟଭୀତ ହୋଇ ସେମାନେ ସେଠାରୁ ଦୌଡ଼ି ପଳାଇଥିଲେ। ଏହାପରେ ଅଭିଯୁକ୍ତ ଉଦୟନାଥ ଘଟଣାସ୍ଥଳରୁ କିଛି ଦୂରରେ ଥିବା ନିଜ ଘରକୁ ଚାଲିଯାଇଥିଲେ। ଅନ୍ୟପକ୍ଷରେ ଟାଙ୍ଗିଆ ଆକ୍ରମଣରେ ମୁଣ୍ଡରାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ଅଭିଯୁକ୍ତଙ୍କ ପରିବାର ଲୋକେ ତାଙ୍କୁ ଘରେ ଦଉଡ଼ିରେ ବାନ୍ଧି ରଖିବା ସହ ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇ ପାପଡାହାଣ୍ଡି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଉଦୟନାଥଙ୍କୁ ଗିରଫ କରିଥିଲା। ତେବେ ଏହି ହତ୍ୟାକାଣ୍ଡ ପଛରେ କ’ଣ କାରଣ ରହିଛି, ତାହା ଜଣାପଡ଼ିନାହିଁ। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *