ପୋଖରୀବନ୍ଧରେ ମା’ଙ୍କ ମେଲାଣି: ଚତୁର୍ଥ ବର୍ଷ ଦୁର୍ଗାପୂଜା ଧୁମଧାମରେ ସମ୍ପନ୍ନ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) :  ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ଠାରେ ପାଞ୍ଚ ଦିନ ଧରି ଚାଲିଥିବା ସାର୍ବଜନୀନ ଦୁର୍ଗାପୂଜା ମହା ଆଡ଼ମ୍ବରରେ ଶେଷ ହୋଇଛି। ମା’ଙ୍କ ଆବାହନ ଠାରୁ ଆରମ୍ଭ କରି ବିଜୟା ଦଶମୀ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇ ଉଠିଥିଲା। ଚଳିତ ବର୍ଷ ଶ୍ରଦ୍ଧାଳୁମାନଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବିଭିନ୍ନ ରଙ୍ଗର ଆଲୋକରେ ସାଜସଜ୍ଜା ଝଳସୁଥିବା ଗେଟ୍ ଓ ମଣ୍ଡପର ସାଜ ପୂଜାର ପରିବେଶକୁ ଆହୁରି ଆକର୍ଷଣୀୟ କରିଥିଲା। ବିଶେଷ କରି ସନ୍ଧ୍ୟା ସମୟରେ ଆଲୋକସଜ୍ଜାର ସୌନ୍ଦର୍ଯ୍ୟ ମନ ମୋହୁଥିଲା। ପ୍ରତ୍ୟେକ ଦିନ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଭିଡ଼ ଦେଖିବାକୁ ମିଳୁଥିଲା। ଦର୍ଶକମାନଙ୍କ ପାଇଁ ପ୍ରତ୍ୟେକ ଦିନ ସମ୍ପୂର୍ଣ୍ଣ ମାଗଣାରେ ଅପେରା, ନୃତ୍ୟ ପ୍ରତିଯୋଗିତା ଓ ଶେଷ ଦିନରେ ମେଲୋଡି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା। ଏହି ଅବସରରେ ରାବଣ ଦହନ ଓ ମା’ଙ୍କ ଭସାଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି। ପୋଖରୀବନ୍ଧ ମା’ ହୀରାନୀଳା ଷ୍ଟୋନ୍ କ୍ରସର ପକ୍ଷରୁ ଆୟୋଜିତ ଏହି ଦୁର୍ଗାପୂଜା ଚତୁର୍ଥ ବର୍ଷ ପୂରଣ କରି ସାରିଛି।ପୋଖରୀବନ୍ଧ ସାର୍ବଜନୀନ ଦୁର୍ଗାପୂଜା କମିଟି ସଭାପତି ଡ. ରମେଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ସହ ମା’ ଦୁର୍ଗାଙ୍କ ମୂର୍ତ୍ତିକୁ ବିସର୍ଜନ କରାଯାଇଛି। ମା’ଙ୍କ ମେଲାଣି ଶୋଭାଯାତ୍ରାରେ ବ୍ୟାଣ୍ଡ ବାଜା, ଡିଜେ ସହ ଅଞ୍ଚଳର ଅନେକ ଗାଁରୁ ଲୋକଙ୍କ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ସହ ଉତ୍ସବକୁ ସଫଳ କରିବାରେ କମିଟି ସଦସ୍ୟ ଓ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ। ସେହିପରି ବ୍ଲକର ଲାଞ୍ଜିଗଡ଼, ଲାଞ୍ଜିଗଡ଼ ରୋଡ଼, ବିଶ୍ୱନାଥପୁର ଓ ରାମଚନ୍ଦ୍ରପୁରରେ ମଧ୍ୟ ମା’ଙ୍କ ମେଲାଣି ସହ ଦୁର୍ଗାପୂଜା ସମ୍ପନ୍ନ ହୋଇଯାଇଛି।