କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଭାଗୃହ ପରିସରରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଆସିଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଶିବିରରେ ମୋଟ ୮୪ଟି ଅଭିଯୋଗର ଶୁଣାଣି କରାଯାଇଥିବା ବେଳେ ସେଥିମଧ୍ୟରୁ ୭୬ଟି ବ୍ୟକ୍ତିଗତ ଅଭିଯୋଗ ଓ ୮ଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା। ଜନସାଧାରଣଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେଇ ପ୍ରତ୍ୟେକ ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରିବା ସହ ଅଭିଯୋଗଗୁଡ଼ିକ ଉପରେ ଅନାବଶ୍ୟକ ବିଳମ୍ବ ନକରି ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ କହିଥିଲେ। ଲୋକଙ୍କୁ ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ନପଡ଼ିବା ଏବଂ ସେମାନଙ୍କ ନ୍ୟାଯ୍ୟ ଦାବିର ଉପଯୁକ୍ତ ବିଚାର କରାଯିବା ଉପରେ ଏପରି ଅଭିଯୋଗ ଶୁଣାଣି ଶିବିରର ଗୁରୁତ୍ୱ ରହିଛି। ଏହି ଅବସରରେ ଆର୍ଥିକ ଅନଟନରେ ରହୁଥିବା ଚାରିଜଣ ଅସହାୟ ବ୍ୟକ୍ତିଙ୍କୁ ରେଡକ୍ରସ ପାଣ୍ଠିରୁ ମୋଟ ୧୭ ହଜାର ଟଙ୍କାର ତତ୍କାଳ ସହାୟତା ପ୍ରଦାନ କରାଯାଇଥିଲା। ଏହି ସହାୟତା ଅସହାୟ ବ୍ୟକ୍ତିମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ସହ ଜରୁରୀ ଆବଶ୍ୟକତା ପୂରଣରେ ସହାୟକ ହେବ ବୋଲି ଆଶା କରାଯାଇଛି। ଶିବିରକୁ ଅଧିକ ଜନକଲ୍ୟାଣମୂଳକ କରିବା ଉଦ୍ଦେଶ୍ୟରେ ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସହିତ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟସେବା ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା। ଏହାଦ୍ୱାରା ଭିନ୍ନକ୍ଷମ ବ୍ୟକ୍ତିମାନେ ନିଜର ଆବଶ୍ୟକତା ଅନୁଯାୟୀ ସେବା ପାଇବାର ସୁଯୋଗ ପାଇଥିବା ବେଳେ ବରିଷ୍ଠ ନାଗରିକମାନେ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକ ପରାମର୍ଶ ପାଇବାର ସୁଯୋଗ ପାଇଥିଲେ। ଶିବିରରେ ଏପିଡି ଯଦୁମଣି ନାୟକ, ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମହେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କଣ୍ଟାମାଳ ବିଡିଓ ସାମ୍ମୀ ରେଡ୍ଡୀ ଜୟଶ୍ରୀ, ତହସିଲଦାର ଶ୍ୱେତପଦ୍ମା ଯୋଶୀ ଓ ଡେପୁଟି କଲେକ୍ଟର ଜ୍ୟୋତିରଞ୍ଜନ ଭୁଏ ଶିବିରର ସୁପରିଚାଳନାରେ ସହଯୋଗ କରିଥିଲେ। ଏଥିସହ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ଯନ୍ତ୍ରୀ, ଲାଇନ୍ ବିଭାଗର କର୍ମଚାରୀ, ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ନିଜ ନିଜ ବିଭାଗ ସମ୍ପର୍କିତ ଅଭିଯୋଗଗୁଡ଼ିକର ଶୁଣାଣିରେ ସହଯୋଗ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ସତର୍କ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଆଖିଆଗରେ ରଖି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା, ଲୋକଙ୍କ ସୁରକ୍ଷା ଏବଂ ଆବଶ୍ୟକ ସରକାରୀ ସେବାକୁ ସ୍ୱାଭାବିକ ରଖିବା ପାଇଁ ବିଭାଗୀୟ ସମନ୍ୱୟ ଓ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜନସାଧାରଣଙ୍କ ଅଭିଯୋଗର ଶୁଣାଣି ସହ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସେବା ଶିବିର ଏବଂ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରଶାସନିକ ସତର୍କତା ଏହି ଶିବିରର ମୁଖ୍ୟ ଆକର୍ଷଣ ରହିଥିଲା।
