ପାପଡ଼ାହାଣ୍ଡି /କ୍ରାନ୍ତିକ୍ଷେତ୍ର(କୈଳାସ ଚନ୍ଦ୍ର ବିଷୋୟୀ) : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଓଡ଼ିଶାରେ ସତର୍କତା ଜାରି ରହିଥିବା ବେଳେ ଏହାର ସମ୍ଭାବ୍ୟ ପ୍ରଭାବ ଓ ମୁକାବିଲା ପ୍ରସ୍ତୁତିର ସ୍ଥିତି ଅନୁଧ୍ୟାନ ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇନ୍ଦ୍ରାବତୀ ପ୍ରକଳ୍ପ ଗସ୍ତ କରିଛନ୍ତି। ବାତ୍ୟା ଜନିତ ସମ୍ଭାବ୍ୟ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଅଞ୍ଚଳର ସ୍ଥିତି ଅନୁଧ୍ୟାନ ଏବଂ ଆଗୁଆ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରୁଥିବା ବେଳେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଓ ଝଡ଼ପବନର ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ଜନଜୀବନ ଓ ଧନସମ୍ପତ୍ତିର ସୁରକ୍ଷା ସହ ବାତ୍ୟା ପରବର୍ତ୍ତୀ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ନେଇ ପ୍ରସ୍ତୁତି ଗୁରୁତ୍ୱ ବହନ କରୁଛି। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ସାଂସଦ ଇ. ବଳଭଦ୍ର ମାଝୀ, ବିଡିଓ ମନୋଜ ପାଣିଗ୍ରାହୀ, ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦିୱାନ ଏବଂ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସତର୍କତା, ଜନସାଧାରଣଙ୍କ ସୁରକ୍ଷା ଓ ଆବଶ୍ୟକୀୟ ସହାୟତା ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମସ୍ତଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ଆବଶ୍ୟକ।
