ଦୁଲପୁର ବୁଲାଣିରେ ଭୟାବହ ସଡ଼କ ଦୁର୍ଘଟଣା, କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା

ପାପଡ଼ାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ପୋଣ୍ଡିକୋଟ ଗ୍ରାମପଞ୍ଚାୟତର ଦୁଲପୁର ଜାତୀୟ ରାଜପଥ ବୁଲାଣି ନିକଟରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରବର୍ତ୍ତୀ ସମୟରେ ନବରଙ୍ଗପୁର ଓ ସେଠାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ଏକ କାର୍‌ (ଜେଏଚ୍‌-୦୨ଏଭି-୬୫୫୩)ରେ ଗୋଟିଏ ପରିବାରର ତିନି ଜଣ ଯାତ୍ରା କରୁଥିଲେ। ସେମାନେ ଆନ୍ଧ୍ରପ୍ରଦେଶର ତିରୁପତିରୁ ଝାରସୁଗୁଡ଼ା ଯାଉଥିବା ସମୟରେ ଦୁଲପୁର ବୁଲାଣି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ (ଓଡି-୦୫ ଏଜେ-୭୬୭୫) ସହ କାର୍‌ଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ କାର୍ ଟି ସମ୍ପୂର୍ଣ ନଷ୍ଟ ହୋଇଥିବା ବେଳେ କାର୍‌ରେ ଥିବା ଅକ୍ଷୟ ଉପାଧ୍ୟାୟ (୪୬), ରଶ୍ମିତା ଉପାଧ୍ୟାୟ (୪୨) ଓ ଆଦିତ୍ୟ କୁମାର ଉପାଧ୍ୟାୟ (୧୮) ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିବାବେଳେ ସ୍ଥାନୀୟ ଗ୍ରାମବାସୀ, ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କୋରାପୁଟ ମେଡିକାଲ କଲେଜକୁ ପଠାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *