ରାଇରଙ୍ଗପୁର/କ୍ରାନ୍ତିକ୍ଷେତ୍ର : ପଡୋଶୀ ଝାରଖଣ୍ଡ ରାଜ୍ୟର ଜାମସେଦପୁର ସହରର କରନଡିହି ସ୍ଥିତ ଦିଶମ ଜାହେର ଥାନ ପରିସରରେ ଅନୁଷ୍ଠିତ ଅଲଚିକି ଲିପିର ଶତବାର୍ଷିକୀ ବର୍ଷ ପାଳନର ଉଦଯାପନୀ ସମାରୋହରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେଯୋଗ ଦେଇଥିଲେ। କରନଡିହି ଦିଶମ ଜାହେର ଥାନ କମିଟି ଓ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘ ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସାନ୍ତାଳୀ ଭାଷା ଅଲଚିକି ଲିପି ଓ ସାନ୍ତାଳୀ ଭାଷା କୁ ସମ୍ବୃଦ୍ଧ ଓ ବିକଶିତ କରାଯିବା ଦିଗରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ୧୦୦ ଜଣ ସାହିତ୍ୟିକ, ଶିକ୍ଷକ, ଗବେଷକ ଓ ବିଶିଷ୍ଠ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇ ସମ୍ମାନୀତ କରାଯାଇଥିଲା। ସେଥି ମଧ୍ୟରୁ ମହାମହିମ ରାଷ୍ଟପତିଙ୍କ ଦ୍ବାରା ୧୨ ଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ଏହି ୧୨ ଜଣ ବିଶିଷ୍ଠ ବ୍ୟକ୍ତିଙ୍କ ମଧ୍ୟରେ ବହଳଦା ବ୍ଲକ ଗିଦିଘାଟୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଟ୍ରାମହୁଲପାଣି ଗ୍ରାମର ବରିଷ୍ଠ ସାମ୍ବାଦିକ ତଥା ବାବାତିଲକା ଲାଇବ୍ରେରୀ ପ୍ରତିଷ୍ଠାତା ରାମଦାସ ମୁର୍ମୁ ଅନ୍ୟତମ। ସେ ଗୁରୁଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପଟ୍ଟଶିଷ୍ୟ ଭାବେ କାର୍ଯ୍ୟ କରିଥିବାବେଳେ ନିଜ ଉଦ୍ୟମରେ ବାବାତିଲକା ଲାଇବ୍ରେରୀ ପ୍ରତିଷ୍ଠା କରି ଅନେକ ବିରଳ ପୁସ୍ତକ ଗଚ୍ଛିତ ରଖିଛନ୍ତି, ସେ ଜଣେ ଅଲଚିକ ଲିପିର ସଂଗ୍ରାହକ, ଗବେଷକ ଓ ସମାଜସେବୀ, ତେବେ ତାଙ୍କ ସହିତ ରାଇରଙ୍ଗପୁର ଅଞ୍ଚଳରୁ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ରାଷ୍ଟୀୟ ସଂପାଦକ ମୁଚିରାମ ହେମ୍ବ୍ରମ ଏବଂ ପାର୍ସି ସିଂ ଚାନ୍ଦୋ ମାହାଲ ମାଡଓ୍ବା ସଂଗଠନ ର ଅଧ୍ୟକ୍ଷ ତଥା ଗୁରୁଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଭୀମଓ୍ବାର ମୁର୍ମୁଙ୍କୁ ମଧ୍ୟ ମହାମହିମ ରାଷ୍ଟ୍ରପତି ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନୀତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଡଃ. ଦମୟନ୍ତୀ ବେଶ୍ରା, ଶୋଭାନାଥ ବେଶ୍ରା, ଦେଶ ପାରଗାନା ଡଃ ଛଟରାୟ ବାସ୍କେ, ମାଝୀବାବା ସାଲଖୁ ମୁର୍ମୁ, ଲେଖକ ଚୁନ୍ଦା ସୋରେନ୍ ସିପାହୀ, ସାହିତ୍ୟିକ ନିରଞ୍ଜନ ହାଁସଦାଃ, ଟାଟାଷ୍ଟିଲ ର କର୍ପୋରେଟ୍ ଉପସଭାପତି ଡିବି ସୁନ୍ଦରାମନ୍ ଏବଂ ଅଲଚିକି ଏକାଡେମୀ ସଂଚାଳକ ଶିବଶଙ୍କର କଣ୍ଡେୟାଂଗ ପ୍ରମୁଖଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଥିଲେ। ଏଥିପାଇଁ ଵହଳଦା ଓ ରାଇରଙ୍ଗପୁର ଅଞ୍ଚଳର ସାନ୍ତାଳୀ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।
