- ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା
- ଆମପାଣି-ମୋଟେର ରାସ୍ତାରେ ଜଗିଛି ଜମ
- କେବଳ ଡିସେମ୍ବରରେ ୩ ମୃତ୍
କୋକସରା/କ୍ରାନ୍ତିକ୍ଷେତ୍ର : ବିଦୟ ନେବାକୁ ବସିଛି ପୁରୁଣା ବର୍ଷ, ନୂତନ ବର୍ଷକୁ ସ୍ବାଗତ ଜଣାଇବା ପାଇଁ ସବୁଆଡେ ଉତ୍ସବର ମାହୋଲ। ଏପଟେ ୨୦୨୫ ଆମପାଣି, କୋକସରା ୨୬ ନମ୍ବର ଜାତୀୟ ରାଜପଥରେ ଛାଡ଼ି ଯାଇଛି ମୃତ୍ୟୁର ବିଭିଷିକା। ପୁରୁଣା ବର୍ଷ ତମାମ୍ ଏହି ରାସ୍ତାରେ ଘଟି ଚାଲିଥିଲା ଦୁର୍ଘଟଣା ଉପରେ ଦୁର୍ଘଟଣା। ସତେଅବା ରାଜପଥରେ ଛକି ରହିଥିଲେ ଜମ ଦେବତା। ଏହି ଦୁର୍ଘଟଣାରେ ଅନେକ ଜନଜୀବନ ହାନି ହୋଇଥିଲା। କଳାହାଣ୍ଡି ଜିଲ୍ଲାର ଶେଷ ସୀମା ଆମପାଣି ଘାଟି ଠାରୁ କୋକସରା ବ୍ଳକର ମୋଟେର ପର୍ଯ୍ୟନ୍ତ ପ୍ରାୟ ୩୬ କିଲୋମିଟର ରାସ୍ତା ଉପରେ କେତେ ଯେ’ ସଡ଼କ ଦୁର୍ଘଟଣା ଘଟିଛି, ତାହାର ହିସାବ କାହାରି ପାଖରେ ନାହିଁ। ୨୦୨୫ ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ରାଜପଥରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଛି। ବେପରୁଆ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚାଳନା ଓ ଦୃତ ଗତିରେ ଗାଡି ଚାଳନା ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟିଛି। ଏହି ଦୁର୍ଘଟଣା ସମୂହ ଅନେକ ମା’ ଙ୍କ କୋଲ ଖାଲି କରିଦେଇଥିବାବେଳେ ଅନେକ ନାରୀଙ୍କ ମଥାରୁ ସିନ୍ଦୂର ପୋଛି ନେଇଛି। ବର୍ଷର ଶେଷ ଡିସେମ୍ବର ମାସରେ ଏହି ରାଜପଥରେ ହୋଇଥିବା ସିରିଜ ଦୁର୍ଘଟଣାରେ ୩ ଜଣଙ୍କ ଅମୁଲ୍ୟ ଜୀବନ ଚାଲିଯାଇଛି। ଅନ୍ୟ ପକ୍ଷରେ ବର୍ଷର ନିର୍ଦ୍ଧିଷ୍ଟ ସମୟରେ ସରକାରଙ୍କ ପକ୍ଷରୁ ‘ସଡ଼କ ସୁରକ୍ଷା, ଜୀବନ ରକ୍ଷା ସଚେତନତା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହାର ପ୍ରଭାବ ଗାଡ଼ି ଚାଲକ ମାନଙ୍କ ଉପରେ ପଡି ନଥିବା ମନେ ହେଉଛି। ତେଣୁ ବର୍ଷ ତମାମ୍ ସଡ଼କ ସୁରକ୍ଷା ଉପରେ ଜନ ସଚେତନତା କରାଇବା ଦିଗରେ ସରକାର ପଦକ୍ଷେପ ନେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।
